Breaking PLUSଦେଶମୁଖ୍ୟ ଖବର

ଉଧମପୁର ବସ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ମୃତକଙ୍କ ପରିଜନଙ୍କୁ 2ଲକ୍ଷ ସହାୟତା ଘୋଷଣା

ନୂଆଦିଲ୍ଲୀ, 20 ଏପ୍ରିଲ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କାଶ୍ମୀରର ଉଧମପୁରରେ ଘଟିଥିବା ଭୟାବହ ବସ୍ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରଜନଙ୍କୁ ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ କାମନା କରିଛନ୍ତି।

ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ଘଟିଥିବା ବସ୍ ଦୁର୍ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ସମ୍ବନ୍ଧୀୟ ସୂଚନା ପାଇ ମୁଁ ଗଭୀର ଦୁଃଖିତ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରଙ୍କୁ ମୁଁ ମୋର ଶୋକ ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ମୁଁ କାମନା କରୁଛି।”

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଧମପୁରରେ ବସ୍ ଦୁର୍ଘଟଣାରେ ଲୋକମାନଙ୍କ ମୃତ୍ୟୁ ସମ୍ବନ୍ଧୀୟ ଖବର ତାଙ୍କୁ ଅତ୍ୟନ୍ତ ଦୁଃଖିତ କରିଛି। ସେ ଶୋକାକୁଳ ପରିବାରମାନଙ୍କୁ ନିଜର ସମବେଦନା ଜଣାଇଥିବା ସହ ଆହତମାନଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅନୁସାରେ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ଲୋକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ଫଣ୍ଡରୁ 2 ଲକ୍ଷ ଟଙ୍କାର ଅନୁଗ୍ରହ ରାଶି ଦିଆଯିବ। ଏହା ସହିତ, ଆହତମାନଙ୍କୁ 50 ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ।

ଉଲ୍ଲେଖନୀୟ ଯେ, ସୋମବାର ଜମ୍ମୁ-କାଶ୍ମୀରର ଉଧମପୁର ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ପାହାଡ଼ରୁ ଖସି ପଡ଼ିଥିଲା । ଫଳରେ 16 ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ 20 ଜଣ ଆହତ ହୋଇଥିଲେ। ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା।

Show More

Related Articles

Back to top button