
ନୂଆଦିଲ୍ଲୀ: CBSE 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ 2ୟ ପର୍ଯ୍ୟାୟ ବୋର୍ଡ ପରୀକ୍ଷା (ଇମ୍ପ୍ରୁଭମେଣ୍ଟ ପରୀକ୍ଷା) ଆବେଦନର ଆଜି ଶେଷ ତାରିଖ ଥିବାରୁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା ଭାବେ ସାମ୍ନାକୁ ଆସିଛି। ଯେଉଁ ଛାତ୍ରଛାତ୍ରୀ ଏପର୍ଯ୍ୟନ୍ତ ଆବେଦନ କରିନାହାନ୍ତି, ସେମାନଙ୍କୁ ତୁରନ୍ତ ଆବେଦନ କରିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।
ନୂତନ ବ୍ୟବସ୍ଥା ଅନୁଯାୟୀ, NEP 2020 ର ଆଧାରରେ CBSE ଏହି ବର୍ଷ ଦ୍ୱିତୀୟ ବୋର୍ଡ ପରୀକ୍ଷା ବ୍ୟବସ୍ଥାକୁ ଲାଗୁ କରିଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ମାର୍କ ସୁଧାର କରିବା ପାଇଁ ଆଉ ଏକ ସୁଯୋଗ ପାଇପାରିବେ।
ସୂଚନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ଫଳାଫଳ ପ୍ରକାଶ ପାଇସାରିଛି ଏବଂ ଦ୍ୱିତୀୟ ପରୀକ୍ଷା ଆସନ୍ତା ମେ ମାସରେ ଆୟୋଜିତ ହେବ। ଏପ୍ରିଲ 16ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟାର ଆଜି ଶେଷ ତାରିଖ ରହିଛି। ତଥାପି, ଲେଟ ଫି ସହିତ ଛାତ୍ରଛାତ୍ରୀମାନେ ଏପ୍ରିଲ 22 ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ମାଧ୍ୟମରେ ଫେଲ ହୋଇଥିବା ବିଷୟରେ ପାସ କରିବା ସହ କମ ନମ୍ବର ଥିବା ବିଷୟରେ ପୁଣିଥରେ ପରୀକ୍ଷା ଦେଇ ମାର୍କ ସୁଧାର କରିବାର ସୁଯୋଗ ମିଳିବ। ଦ୍ୱିତୀୟ ପରୀକ୍ଷାରେ ମିଳୁଥିବା ନମ୍ବର ପ୍ରଥମ ପରୀକ୍ଷାର ମାର୍କ ସହ ଯୋଗ ହେବ।
ପରୀକ୍ଷା ପ୍ରଣାଳୀ ଓ ପ୍ରଶ୍ନପତ୍ରର ସ୍ତର ପ୍ରଥମ ପରୀକ୍ଷା ପରି ରହିବ ଏବଂ ପରୀକ୍ଷା ଅଫଲାଇନ ମୋଡରେ ଆୟୋଜିତ ହେବ ବୋଲି CBSE ପକ୍ଷରୁ ସୂଚନା ଦିଆଯାଇଛି।



