
ନୂଆଦିଲ୍ଲୀ: ଆଜି ରାଜଧାନୀ ଦିଲ୍ଲୀରେ ବହୁ ପ୍ରତିକ୍ଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ବିସ୍ତୃତ ରାସ୍ତା ‘କର୍ତ୍ତବ୍ୟ ପଥ’ ଉନ୍ମୋଚନ କରିବା ବେଳେ ଇଣ୍ଡିଆ ଗେଟ୍ରେ ସ୍ଥାପିତ ସୁବାଷ ବୋଷଙ୍କର ୨୮ ଫୁଟ୍ ଉଚ୍ଚ ପ୍ରତିମୂର୍ତ୍ତି ମଧ୍ୟ ଉଦ୍ଘାଟନ କରାଯିବ। ଦେଶର ସବୁ ଠାରୁ ବଡ଼ ପାୱାର କରିଡର କୁହାଯାଥିବା ଏହି ମେଗା ପ୍ରକଳ୍ପ ମଧ୍ୟରେ ନୂଆ ସଂସଦୟ ବିଲଡିଂ, କମନ୍ ସେଣ୍ଟ୍ରାଲ ସେକ୍ରେଟେରିଆଟ୍ ଏବଂ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ୩ କିମି ବିଶିଷ୍ଟ କର୍ତ୍ତବ୍ୟ ମାର୍ଗ ନିର୍ମାଣ କରାଯାଇଛି। ଏହି ମେଗା ପ୍ରକଳ୍ପର କାର୍ଯ୍ୟ ୨୦୨୦ରେ ଆରମ୍ଭ ହୋଇଥିଲା। ତେବେ ନିର୍ମାଣ ଆରମ୍ଭରୁ ବହୁ ବିବାଦ ଉପୁଜିବା ସହ ବହୁ ବାଧା ବିଘ୍ନ ମଧ୍ୟ ଆସିଥିଲା। ଏପରିକି ଏହି ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ଏହି ପ୍ରକଳ୍ପ ବେଆଇନ ଭାବେ ନିର୍ମାଣ କରାଯାଉଥିବା କହି ବିରୋଧୀ ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ। ହାର୍ଟ ଅଫ ଦିଲ୍ଲୀର ୩.୨ କିମି ଅଞ୍ଚଳରେ ୨୦ ହଜାର କୋଟି ଟଙ୍କାରେ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ନିର୍ମାଣ କରାଯାଉଛି। ସେପ୍ଟେମ୍ବର ୨୦୨୨ରେ ନୂଆଦିଲ୍ଲୀର ଐତିହାସିକ ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାଁ ପରିବର୍ତ୍ତନ କରି ‘କର୍ତ୍ତବ୍ୟ ପଥ’ରେ ନାମିତ କରାଯାଥିଲା। ପ୍ରଧାନମନ୍ତ୍ରୀ ମୋଦି ପରାଧୀନତାର ସବୁ ପ୍ରତୀକକୁ ହଟାଇବା ପାଇଁ କହିଥିଲେ। ନୂଆ ନିଷ୍ପତ୍ତି ଅନୁଯାୟୀ,ନେତାଜୀଙ୍କ ପ୍ରତିମୂର୍ତ୍ତିଠାରୁ ରାଷ୍ଟ୍ରପତି ଭବନ ଯାଏଁ ପୁରା ରାସ୍ତା ଏବଂ ଏହି ଅଞ୍ଚଳ କର୍ତ୍ତବ୍ୟ ପଥ ନାଁରେ ପରିଚିତ ହେବ। ତେବେ ଉକ୍ତ ପ୍ରଳକ୍ପ ଅଧୀନରେ ଏବେ ବି ଅନେକ କାମ ବାକି ରହିଛି। ୨୦୧୯ରେ ଘୋଷିତ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଅଧିନରେ ଏକ ତ୍ରିକୋଣୀୟ ସଂସଦ ଭବନ ନିର୍ମାଣର ବ୍ୟବସ୍ଥା ରହିଛି । ଏଥିରେ ୮୦୦ରୁ ୧୨ ଶହ ସାଂସଦ ବସିବାର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପର ଆଉ ଏକ ପ୍ରମୁଖ ଅଂଶ କେନ୍ଦ୍ରୀୟ ସଚିବାଳୟ ଭବନର ନିର୍ମାଣ ୨୦୨୪ ସୁଦ୍ଧା ଶେଷ ହେବ ।



