
ନୂଆଦିଲ୍ଲୀ:କଂଗ୍ରେସ ନେତା ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆରଏସଏସକୁ ନେଇ କଟୁ ଆକ୍ଷେପ କରିଛନ୍ତି। ସେ ଆରଏସଏସକୁ “ରାଷ୍ଟ୍ରୀୟ ସରେଣ୍ଡର ସଂଘ” ବୋଲି ବର୍ଣ୍ଣନା କରିଥିବା ସହ “ଫର୍ଜି ରାଷ୍ଟ୍ରବାଦ” ପ୍ରଚାର କରୁଛି ବୋଲି ଅଭିଯୋଗ ଆଣିଛନ୍ତି।
ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ ସେୟାର କରି ରାହୁଲ ଲେଖିଛନ୍ତି, “ରାଷ୍ଟ୍ରୀୟ ସରେଣ୍ଡର ସଂଘ। ନାଗପୁରରେ ଫର୍ଜି ରାଷ୍ଟ୍ରବାଦ, ଆମେରିକାରେ ଶୁଦ୍ଧ ସେବା।” ସେ କହିଛନ୍ତି ଯେ ରାମ ମାଧବ ଙ୍କ ମନ୍ତବ୍ୟ ଆରଏସଏସର ପ୍ରକୃତ ଚରିତ୍ରକୁ ସାମ୍ନାକୁ ଆଣିଛି।
ରାହୁଲଙ୍କ ଏହି ପ୍ରତିକ୍ରିୟା ଆସିଛି ୱାଶିଂଟନ ଡିସି ରେ ଆୟୋଜିତ ଏକ ଆନ୍ତର୍ଜାତୀୟ ଆଲୋଚନା ପରେ। ସେଠାରେ ହଡସନ ଇନଷ୍ଟିଚ୍ୟୁଟ ଆୟୋଜିତ “ନ୍ୟୁ ପାଥୱେଜ୍ ଫର୍ ଇଣ୍ଡିଆ-ୟୁଏସ୍ ରିଲେସନ୍ସ” କାର୍ଯ୍ୟକ୍ରମରେ ରାମ ମାଧବ କର୍ଟ କ୍ୟାମ୍ପବେଲ ଏବଂ ଏଲିଜାବେଥ ଥ୍ରେଲକେଲ୍ଡଙ୍କଙ୍କ ସହ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଏହି ଆଲୋଚନା ସମୟରେ ରାମ ମାଧବ ଭାରତର ଶକ୍ତି ଓ ବାଣିଜ୍ୟ ନୀତିକୁ ନେଇ କଥା ହୋଇଥିଲେ। ସେ କହିଥିଲେ, ବିରୋଧୀଙ୍କ ଆପତ୍ତି ସତ୍ତ୍ୱେ ଭାରତ ଇରାନ ଓ ରୁଷରୁ ତେଲ କ୍ରୟ ବନ୍ଦ କରିବା ନିଷ୍ପତ୍ତି ନେଇଛି।
ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ ମଞ୍ଚରେ ପୁଣିଥରେ ଆରଏସଏସ ଓ ବିପକ୍ଷ ମଧ୍ୟରେ ବାଦ୍ବିବାଦ ତୀବ୍ର ହେବାର ସମ୍ଭାବନା ଦେଖାଦେଇଛି।



