ଭୋକିଲା ଶିଶୁର ମନ ବୁଝିଲା ରେଳ ବିଭାଗ, ମାତ୍ର 23 ମିନିଟରେ ପହଞ୍ଚିଲା କ୍ଷୀର
ଭୋକିଲା ଶିଶୁର ମନ ବୁଝିଲା ରେଳ ବିଭାଗ। ରେଳମନ୍ତ୍ରୀଙ୍କୁ ଟୁଇଟ୍ କରିବାର ମାତ୍ର 23 ମିନିଟରେ ରେଳରେ ପହଞ୍ଚିଲା କ୍ଷୀର। ଏଭଳି ଘଟଣା ଦେଖିବାକୁ ମିଳିଛି ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସ ଟ୍ରେନରେ।

କାନପୁର : ଭୋକିଲା ଶିଶୁର ମନ ବୁଝିଲା ରେଳ ବିଭାଗ। ରେଳମନ୍ତ୍ରୀଙ୍କୁ ଟୁଇଟ୍ କରିବାର ମାତ୍ର 23 ମିନିଟରେ ରେଳରେ ପହଞ୍ଚିଲା କ୍ଷୀର। ଏଭଳି ଘଟଣା ଦେଖିବାକୁ ମିଳିଛି ଲୋକମାନ୍ୟ ତିଲକ ଟର୍ମିନାଲରୁ ସୁଲତାନପୁର ଯାଉଥିବା ଏଲଟିଟି ଏକ୍ସପ୍ରେସ ଟ୍ରେନରେ। ଏହି ଟ୍ରେନର ଏସି ଥ୍ରି କୋଚରେ ଯାତ୍ରା କରୁଥିଲେ ଅଞ୍ଜଳୀ ତିୱାରୀ । ଅଧାବାଟରେ ତାଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ଯେତେ ଚେଷ୍ଟା ପରେ ବି ଶିଶୁଟିର କାନ୍ଦ ବନ୍ଦ ହୋଇ ନ ଥିଲା । ଏହାପରେ ଅଞ୍ଜଳୀ ଘରଲୋକଙ୍କ ସହ କଥା ହୋଇ ଏ ନେଇ ରେଳମନ୍ତ୍ରୀଙ୍କୁ ଟୁଇଟ୍ କରିଥିଲେ । ପରେ ମାତ୍ର ୨୩ ମିନିଟ ମଧ୍ୟରେ ଟ୍ରେନ୍ ଭିତରେ ଭୋକିଲା ଶିଶୁପାଇଁ କ୍ଷୀର ପହଞ୍ଚି ଯାଇଥିଲା । ଏ ନେଇ ମହିଳା ଜଣକ ରେଲୱେ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସୂଚନା ମୁତାବକ, ଅଞ୍ଜଳୀ ନିଜର ଦୁଇ ଶିଶୁଙ୍କ ସହ ଏଲଟିଟି ଏକ୍ସପ୍ରେସ ଯୋଗେ ଘରକୁ ଫେରୁଥିଲେ । ଟ୍ରେନଟି ୨ଟା ୩୦ରେ ଭିମସେନ ଷ୍ଟେଶନ ପହଞ୍ଚିବାର ଥିଲା । ହେଲେ ଏଥିରେ ସାମାନ୍ୟ ବିଳମ୍ବ ହୋଇଯାଇଥିଲା ଓ ଅଞ୍ଜଳୀଙ୍କ ୮ ମାସର ଶିଶୁ ଭୋକରେ କାନ୍ଦିବାକୁ ଲାଗିଥିଲା । ଏହାପରେ ମହିଳା ଜଣଙ୍କ ରେଲମନ୍ତ୍ରୀଙ୍କୁ ଏସମ୍ପର୍କରେ ଜଣାଇବାରୁ ରେଳ ବିଭାଗ ସକ୍ରିୟ ହୋଇଉଠିଥିଲେ । କାନପୁର ସେଣ୍ଟ୍ରାଲର ଡେପୁଟି ସିଟିଏମ ହିମାଂଶୁ ଶେଖର ଉପାଧ୍ୟାୟଙ୍କ ନିର୍ଦ୍ଦେଶରେ ଏସିଏମ ସନ୍ତୋଷ ତ୍ରିପାଠୀ ଶିଶୁଟି ପାଇଁ କ୍ଷୀର ଯୋଗାଡ କରିଦେଇଥିଲେ । କାନପୁର ସେଣ୍ଟ୍ରାଲର ପ୍ଲାଟଫର୍ମ ନମ୍ବର ୯ରେ ଟ୍ରେନ୍ ଦିନ ୩ଟା ୧୫ରେ ପହଞ୍ଚିବା ପରେ କୋଚ ଭିତରେ ଶିଶୁଟି ପାଇଁ କ୍ଷୀର ପହଞ୍ଚିଯାଇଥିଲା ।