
ଭାରତ ସରକାର ସାର୍ବଜନୀନ ସ୍ଥାନର ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଏକ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି। ‘ପବ୍ଲିକ୍ ଟ୍ରଷ୍ଟ (ସଂଶୋଧନ) ବିଲ୍, ୨୦୨୬’ ମାଧ୍ୟମରେ ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ଭଳି ଅଭ୍ୟାସ ଉପରେ ଜରିମାନା ୫୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ାଇବା ପ୍ରସ୍ତାବ ରହିଛି।
ଶୁକ୍ରବାର ଦିନ ବାଣିଜ୍ୟ ଏବଂ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଏହି ବିଲ୍ଟିକୁ ଲୋକସଭାରେ ଉପସ୍ଥାପନ କରିଥିଲେ। ଏହି ବିଲ୍ ମାଧ୍ୟମରେ ଦିଲ୍ଲୀ ମ୍ୟୁନିସିପାଲ୍ କର୍ପୋରେସନ୍ ଆଇନ, ୧୯୫୭ର କିଛି ଧାରାରେ ସଂଶୋଧନ କରାଯିବା ପ୍ରସ୍ତାବ ରହିଛି।
ବର୍ତ୍ତମାନ ଏହି ଆଇନ ଅନୁଯାୟୀ ସାର୍ବଜନୀନ ସ୍ଥାନରେ ପରିସ୍ରା କରିବା ପାଇଁ ଜରିମାନା କେବଳ ୫୦ ଟଙ୍କା ରହିଛି। କିନ୍ତୁ ନୂଆ ବିଲ୍ ପାସ୍ ହେଲେ ଏହାକୁ ୫୦୦ ଟଙ୍କା କିମ୍ବା ତାହାରୁ ଅଧିକ (ଦଶଗୁଣ) କରାଯିବ। ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ ଧାରା ୩୯୭(୧)ରେ ସାଧାରଣ ସ୍ଥାନରେ ପରିସ୍ରା କରିବା, ଅତ୍ୟଧିକ ଶବ୍ଦ କରି ସାଧାରଣ ଶାନ୍ତି ଭଙ୍ଗ କରିବା ଓ ଅନୁମତି ବିନା ରାତିରେ ଗୋବର, ଖତ କିମ୍ବା ଅଳିଆ ଜମା କରିବା ଭଳି କାର୍ଯ୍ୟ ପାଇଁ କଠୋର ଜରିମାନା ବ୍ୟବସ୍ଥା ରହିଛି।
ଏହା ସହିତ ଲାଇସେନ୍ସ ବିନା ଚାଲୁଥିବା ଲଜିଂ ହାଉସ, ଇଟିଂ ଜଏଣ୍ଟ ଓ ଚା ଦୋକାନମାନଙ୍କ ଉପରେ ମଧ୍ୟ କଠୋର ପଦକ୍ଷେପ ନିଆଯିବ। ଧାରା ୪୨୧ ଅନୁଯାୟୀ ଏହି ପ୍ରକାର ଅନିୟମିତତା ପାଇଁ ବର୍ତ୍ତମାନ ୧୦୦ ଟଙ୍କା ଥିବା ଜରିମାନାକୁ ୧,୦୦୦ ଟଙ୍କା କରାଯିବା ପ୍ରସ୍ତାବ ରହିଛି। ଏହି ବିଲ୍ ଦ୍ୱାରା ସହର ଅଞ୍ଚଳରେ ସ୍ୱଚ୍ଛତା ବୃଦ୍ଧି ଓ ଅନିୟନ୍ତ୍ରିତ ବାଣିଜ୍ୟିକ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।



