ସ୍କୁଲରେ ଉତ୍ତେଜନା : ହେଡମାଷ୍ଟରଙ୍କ ସହ୨ଶିକ୍ଷୟିତ୍ରୀକଙ୍କୁ ୩ ଘଣ୍ଟା ବନ୍ଦ

ବାଲେଶ୍ୱର:ରେମୁଣା ବ୍ଲକର ଶାସନପଡ଼ା ୟୁଜି ୟୁପି ସ୍କୁଲରେ ଶିକ୍ଷକ ବଦଳିକୁ ନେଇ ସୋମବାର ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାରେ ହେଡମାଷ୍ଟର ଓ ଦୁଇ ଜଣ ମହିଳା ଶିକ୍ଷୟିତ୍ରୀଙ୍କୁ ପ୍ରାୟ ୩ ଘଣ୍ଟା ଧରି ଘରେ ବନ୍ଦ କରି ରଖାଯାଇଥିଲା।
ସୂଚନା ଅନୁଯାୟୀ, ଶିକ୍ଷୟିତ୍ରୀ ଶୁଭସ୍ମିତା ପାଢ଼ୀଙ୍କ ବଦଳି ସ୍କୁଲ କମିଟିକୁ ନ ଜଣାଇ କରାଯାଇଥିବା ଅଭିଯୋଗରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଏନେଇ ଅସନ୍ତୁଷ୍ଟ ଅଭିଭାବକ ଓ ସ୍ଥାନୀୟ ଲୋକ ସ୍କୁଲକୁ ପହଞ୍ଚି ହେଡମାଷ୍ଟରଙ୍କୁ ପ୍ରଶ୍ନ କରିଥିଲେ।
ହେଡମାଷ୍ଟରଙ୍କ ପକ୍ଷରୁ କୁହାଯାଇଛି ଯେ, ବ୍ଲକ ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରକ୍ରିୟାରେ ବଦଳି ହୋଇଛି। ତଥାପି ଲୋକମାନେ ସନ୍ତୁଷ୍ଟ ହୋଇନଥିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।
ପରେ ଅଭିଭାବକ ଓ ଗ୍ରାମବାସୀ ମିଶି ହେଡମାଷ୍ଟର ଓ ଦୁଇ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟାଳୟ ଘରେ ବନ୍ଦ କରିଦେଇଥିଲେ।
ଖବର ପାଇଁ ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଘଟଣା ନେଇ ଅଧିକ ତଦନ୍ତ ଚାଲିଛି।



