
ଗାୟିକା ଲତା ମଙ୍ଗେସ୍କର ଗତ ଜାନୁୟାରୀ ୮ ତାରିଖରୁ ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲରେ ଅଛନ୍ତି। ତାଙ୍କୁ କରୋନା ସଂକ୍ରମଣ ହୋଇଥିବା ଜଣାପଡିବା ପରେ ହସ୍ପିଟାଲର ଆଇସିୟୁ ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ତାଙ୍କ ସୁସ୍ଥତା ଲାଗି ପରିବାର ଲୋକେ ଓ ଫ୍ୟାନ୍ସ ପ୍ରାର୍ଥନା କରୁଛନ୍ତି। ହସ୍ପିଟାଲ ପକ୍ଷରୁ ମଧ୍ୟ ଲଗାତାର ତାଙ୍କ ହେଲଥ୍ ଅପଡେଟ୍ ଦିଆଯାଉଛି। ହସ୍ପିଟାଲର ସଦ୍ୟ ସ୍ୱାସ୍ଥ୍ୟ ବୁଲେଟିନରେ ଲତା ଏବେ ବେଶ ସୁସ୍ଥ ଥିବା କୁହାଯାଇଛି। ଏଥିରେ ପ୍ରଥମ ଥର ମହାରାଷ୍ଟ୍ର ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ରବିବାର ଲତାଙ୍କ ସ୍ୱାସ୍ଥ୍ୟ ନେଇ ସୂଚନା ଦେଇଛନ୍ତି। ଏଥିରେ ଲତା ଏବେ ଆଖି ଖୋଲୁଥିବା ଓ ପ୍ରତିକ୍ରିୟା ପ୍ରକାଶ କରୁଥିବାର ସେ କହିଛନ୍ତି। ଏଣୁ ଲତାଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଥିବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇଥିବାର କହିଛନ୍ତି। ଲତା ଧିରେ ଧିରେ ସୁସ୍ଥ ହେଉଥିବାର ଡାକ୍ତରମାନେ କହିଛନ୍ତି।
ସେ ଭେଣ୍ଟିଲେଟରରେ ଥିଲେ, ୧୫ ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରୁ ବାହାରେ ରଖି ଚିକିତ୍ସା କରାଯାଉଛି। ଏବେ କେବଳ ତାଙ୍କୁ ଅକ୍ସିଜେନ ଦିଆଯାଉଛି, ସେ ଆଖି ଖୋଲୁଛନ୍ତି ଓ ଡାକ୍ତରଙ୍କ ସହ ଅଳ୍ପଅଳ୍ପ କଥା ମଧ୍ୟ ହେଉଛନ୍ତି। କରୋନା ଯୋଗୁ ସେ ଦୁର୍ବଳ ହୋଇପଡିଛନ୍ତି । ଏହା ଛଡା ତାଙ୍କଠାରେ ଏବେବି ସଂକ୍ରମଣ ଥିବା କୁହାଯାଇଛି। ହେଲେବି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ବେଶ ଉନ୍ନତି ଆସିଥିବା ଟୋପେ କହିଛନ୍ତି। ଗତ ଜାନୁୟାରୀ ୨୭ ତାରିଖ ଦିନ ଲତା ମଙ୍ଗେସ୍କରଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ସେ ଏବେବି ମୁମ୍ବାଇର ବ୍ରିଚ୍କ୍ୟାଣ୍ଡି ହସ୍ପିଟାଲର ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ଉଲ୍ଲେଖ ଥିଲା। ଡ.ପ୍ରତୀତ ସମଦାନୀ ଓ ତାଙ୍କ ଡାକ୍ତରୀ ଟିମ୍ ଲଗାତାର ଲତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖି ରହିଛନ୍ତି। ଡାକ୍ତରଙ୍କ ଚିକିତ୍ସାର ପ୍ରତିକ୍ରିୟା ଏବେ ଲତାଙ୍କଠାରେ ଦେଖିବାକୁ ମଧ୍ୟ ମିଳୁଥିବା ଏଥିରେ କୁହାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ସୂଚନା ଏବେ ଲତାଙ୍କ ଅଗଣିତ ଫ୍ୟାନସ୍ଙ୍କୁ ଆଶ୍ୱସ୍ତ କରିଛି।