
କଟକ: ଚହଟାରୁ ମଧୁସୂଦନ ସେତୁକୁ ଯୋଡ଼ିଥିବା ୬ ଲେନ୍ ରାସ୍ତା ନିର୍ମାଣରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକମାନେ ଭାରି ଅସୁବିଧାରେ ପଡ଼ିଛନ୍ତି। ଦୀର୍ଘଦିନ ଧରି କାମ ଚାଲିଥିଲେ ମଧ୍ୟ ଗତି ନ ଥିବାରୁ ଦିନଚର୍ଯ୍ୟା ଯାତାୟାତ ପ୍ରଭାବିତ ହେଉଛି।
ରାସ୍ତାର ଅବସ୍ଥା ଖରାପ ହୋଇପଡ଼ିଥିବା ସହ ଧୁଳି ପ୍ରଦୂଷଣ ବଢ଼ି ଯାଇଛି। ପାଣି ଛଟା ନହେବାରୁ ଲୋକମାନେ ଶ୍ୱାସକ୍ରିୟା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ଖରାପ ରାସ୍ତାରେ ପ୍ରାୟ ଦୁର୍ଘଟଣା ଘଟୁଥିବା ଅଭିଯୋଗ ମଧ୍ୟ ହେଉଛି।
ସଙ୍କୀର୍ଣ୍ଣ ରାସ୍ତା ଓ ପାର୍କିଂ ସୁବିଧା ନଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ଠିକାଦାର ପକ୍ଷରୁ ଧୁଳି ନିୟନ୍ତ୍ରଣ ପାଇଁ ପ୍ରୟୋଜନୀୟ ପଦକ୍ଷେପ ନ ନେଇଥିବା ଅଭିଯୋଗ ମଧ୍ୟ ଆସୁଛି।
ଏହି ପରିସ୍ଥିତିକୁ ଗୁରୁତ୍ୱର ସହ ନେଇ କଟକ-ବାରବାଟି ବିଧାୟିକା ସୋଫିଆ ଫିରଦୌସ ସମ୍ପର୍କିତ ଅଧିକାରୀଙ୍କୁ ତୁରନ୍ତ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେ କହିଛନ୍ତି, ଯଦି ବିଳମ୍ବ ଚାଲିଥାଏ, ତେବେ ଠିକାଦାରଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ସହ କଳାସୂଚୀଭୁକ୍ତ କରାଯିବ। ଆବଶ୍ୟକ ହେଲେ ମନ୍ତ୍ରୀ ସ୍ତରରେ ମଧ୍ୟ ମାମଲା ଉଠାଯିବ ବୋଲି ସେ ସତର୍କ କରିଛନ୍ତି।
ସ୍ଥାନୀୟ ବାସିନ୍ଦାମାନେ ଶୀଘ୍ର ସମାଧାନ ଓ ରାସ୍ତା କାମ ଶେଷ କରିବାକୁ ପ୍ରଶାସନଙ୍କୁ ଦାବି କରିଛନ୍ତି।



