Breaking PLUSଓଡ଼ିଶାମୁଖ୍ୟ ଖବର

ଉଚ୍ଚ ଶିକ୍ଷାନୁଷ୍ଠାନରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ପ୍ରଦାନ କରିବା ପାଇଁ ଏସଓପି ଜାରି

ଭୁବନେଶ୍ୱର, ୧ ଏପ୍ରିଲ  – ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସହାୟକ ଉପକରଣ ପ୍ରଦାନ କରାଯିବ। ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନକୁ ୩ଟି ହ୍ଵିଲ ଚେୟାର ପ୍ରଦାନ କରାଯିବ। ଏନେଇ ଏସଓପି ଜାରି କରାଯାଇଛି।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଏବଂ ଆଞ୍ଚଳିକ ଶିକ୍ଷା ଉପ-ନିର୍ଦ୍ଦେଶକମାନଙ୍କୁ ଜିଲ୍ଲା ନୋଡ଼ାଲ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ଜିଲ୍ଲା ନୋଡ଼ାଲ ଅଧିକାରୀମାନେ ନିଜ ଜିଲ୍ଲାରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସହାୟକ ଉପକରଣ ବଣ୍ଟନ କରିବେ ଏବଂ ଏହାର ରିପୋର୍ଟ ଉଚ୍ଚଶିକ୍ଷା ବିଭାଗକୁ ପ୍ରଦାନ କରିବେ।

ଏସଓପି ଅନୁଯାୟ, ଜିଲ୍ଲା ନୋଡ଼ାଲ ଅଧିକାରୀ ନିଜ ଜିଲ୍ଲାର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ତଥ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏହି ସମସ୍ତ ତଥ୍ୟକୁ ଯାଞ୍ଚ କରି ସାରିବା ପରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସହାୟକ ଉପକରଣ ବଣ୍ଟନ କରାଯିବ। ଏଥିସହ ପ୍ରତ୍ୟେକ ଉଚ୍ଚ ଶିକ୍ଷାନୁଷ୍ଠାନ ନିଜ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ତଥ୍ୟ, ସହାୟକ ଉପକରଣର ବିବରଣୀ ଏବଂ ଲାଭର୍ଥୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତଥ୍ୟ ରଖିବେ। ସହାୟକ ଉପକରଣ ଗୁଡ଼ିକର ବଣ୍ଟନ ପ୍ରକ୍ରିୟାକୁ ଯେପରି ସୁଚାରୁରୂପେ ପରିଚାଳନା କରାଯାଇପାରିବ, ସେନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଜିଲ୍ଲା ନୋଡ଼ାଲ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନେଇ ବୈଠକର ଆୟୋଜନ କରାଯିବ।

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ପ୍ରଦାନ କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟାର ମନିଟରିଙ୍ଗ ଉଚ୍ଚଶିକ୍ଷା ବିଭାଗ ଏବଂ ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା କରାଯିବ।

Show More

Related Articles

Back to top button