ଓଡ଼ିଶାଭକ୍ତିମୁଖ୍ୟ ଖବର

ରଥଯାତ୍ରା କର୍ଡନ୍ ପାସ୍ ବଣ୍ଟନରେ କଡ଼ା ନିୟନ୍ତ୍ରଣ

ଶୃଙ୍ଖଳିତ ହେବ ରଥଟଣା ବ୍ୟବସ୍ଥା

ପୁରୀର ପ୍ରସିଦ୍ଧ ରଥଯାତ୍ରାକୁ ନଜରରେ ରଖି ଏଥର ପ୍ରଶାସନ ପକ୍ଷରୁ ବିଭିନ୍ନ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷ କରି କର୍ଡନ୍ ପାସ୍ ବଣ୍ଟନ ବ୍ୟବସ୍ଥାରେ ଏଥର ଅଙ୍କୁଶ ଲାଗିବାକୁ ଯାଉଛି। ପୂର୍ବବର୍ଷଗୁଡ଼ିକରେ ଅଧିକ ସଂଖ୍ୟାରେ ପାସ୍‌ଧାରୀଙ୍କୁ କର୍ଡନ୍ ଭିତରକୁ ପ୍ରବେଶ ଦେବା ଫଳରେ ରଥଟଣା ସମୟରେ ଅସୁବିଧା, ଭିଡ଼ ଓ ଅନିୟମିତତା ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ପାସ୍ ସଂଖ୍ୟାକୁ ବହୁ ହ୍ରାସ କରିବା ପାଇଁ ବିଧିବଦ୍ଧ ନିଷ୍ପତ୍ତି ହୋଇଛି।

ଲୋକସେବା ଭବନରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆସନ୍ତା ଜୁଲାଇରେ ହେବାକୁ ଥିବା ରଥଯାତ୍ରା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ରଥଟଣାକୁ କିପରି ଅଧିକ ସୁଚାରୁ ଓ ଶୃଙ୍ଖଳିତ କରାଯିବ, ସେଥିପାଇଁ ନିର୍ଦ୍ଦିଷ୍ଟ ଯୋଜନା ଉପରେ ଆଲୋଚନା କରାଯାଇଥିଲା।

ରଥ ନିର୍ମାଣ କାମ ମଧ୍ୟ ସମୟସୀମା ମଧ୍ୟରେ ଗତିଶୀଳ ଭାବେ ଚାଲିଛି। ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ, ତାହାରୁ ୫୭୬ଟି ଖଣ୍ଡ ସଂଗ୍ରହ ହୋଇସାରିଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଶେଷ କାଠ ସଂଗ୍ରହ କାମ ଶୀଘ୍ର ଶେଷ କରିବା ସହିତ ମଜବୁତ ଓ ନିରାପଦ ରଥ ଦଉଡ଼ି ପ୍ରସ୍ତୁତିକୁ ମଧ୍ୟ ପ୍ରାଥମ୍ୟ ଦିଆଯାଇଛି।

ଯାତ୍ରୀ ସୁବିଧାକୁ ଆଉ ଉନ୍ନତ କରିବା ପାଇଁ ଅନେକ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ରହିଛି। ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କାର୍ଯ୍ୟ, ଆଚାର୍ଯ୍ୟ ହରିହର ଛକର ପୁନଃବିକାଶ ଓ ଦିଗବାରେଣୀରେ ବହୁତଳ ପାର୍କିଂ ବ୍ୟବସ୍ଥା ଶେଷ ଅବସ୍ଥାରେ ପହଞ୍ଚିଛି। ସେହିପରି ଗୁଣ୍ଡିଚା ମନ୍ଦିରର ମରାମତି କାମ ମଧ୍ୟ ରଥଯାତ୍ରା ପୂର୍ବରୁ ଶେଷ କରାଯିବ ବୋଲି ଜିଲ୍ଲା ପ୍ରଶାସନ କହିଛି।

ସ୍ୱଚ୍ଛତା ଓ ଭିଡ଼ ନିୟନ୍ତ୍ରଣ ଦିଗରେ ମଧ୍ୟ ଏଥର ବିଶେଷ ଗୁରୁତ୍ୱ ଦିଆଯାଇଛି। ପୁରୀ ସମୁଦ୍ରକୂଳରେ ୬ଟି ବାୟୋ-ଶୌଚାଳୟ ବ୍ଲକ୍ ସ୍ଥାପନ କରାଯିବ, ଯାହାରେ ୧୮ଟି ଏକକ ଶୌଚାଳୟ ସୁବିଧା ରହିବ। ବଡ଼ଦାଣ୍ଡରେ ରଥଟଣା ସୁବିଧା ପାଇଁ ଉଚ୍ଛେଦ କାର୍ଯ୍ୟ ଚାଲିଛି ଓ ଏହାକୁ ମେ’ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧରାଯାଇଛି।

ଏଥିସହ ବଡ଼ଦାଣ୍ଡ କଡ଼ରେ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ଉପରେ ମଧ୍ୟ ନିୟନ୍ତ୍ରଣ ଲାଗିବ। ପୂର୍ବରୁ ଅନିୟନ୍ତ୍ରିତ ଭାବେ ଖାଦ୍ୟ ବଣ୍ଟନ ହେଉଥିବାରୁ ଭିଡ଼ ବଢ଼ିବା ସହ ଅପରିଷ୍କାରତା ଓ ରଥଟଣାରେ ବାଧା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏଥର ନିର୍ଦ୍ଦିଷ୍ଟ ସ୍ଥାନରେ ମାତ୍ର ଖାଦ୍ୟ ବଣ୍ଟନକୁ ଅନୁମତି ଦିଆଯିବ।

ଭିଡ଼ ନିୟନ୍ତ୍ରଣ ପାଇଁ ସହର ଭିତରେ ଓ ସଂଲଗ୍ନ ଅଞ୍ଚଳରେ ଟ୍ରାଫିକ୍ ପରିଚାଳନାକୁ ସୁଦୃଢ଼ କରାଯିବ। ସ୍ଥାୟୀ ଓ ଅସ୍ଥାୟୀ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସୁବିଧା, ପରିମଳ ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ସଚଳ ରଖିବା ସହ ଯଥେଷ୍ଟ ସଂଖ୍ୟାରେ ପୁଲିସ ମୁତୟନ କରାଯିବ।

ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗ ପକ୍ଷରୁ ୮ଟି ଅତିରିକ୍ତ ଟିକେଟ୍ କାଉଣ୍ଟର ଖୋଲାଯିବାକୁ ଯୋଜନା ହୋଇଛି। ସମୁଦାୟ ପ୍ରଶାସନିକ ପଦକ୍ଷେପ ମାଧ୍ୟମରେ ଏଥର ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁସଂଗଠିତ ଭାବେ ପାଳନ କରିବାକୁ ଲକ୍ଷ୍ୟ ଧରାଯାଇଛି।

Show More

Related Articles

Back to top button