ଗିରଫ ହେଲେ ନିଲମ୍ବିତ କନେଷ୍ଟବଳ ପ୍ରସନ୍ନ ବେହେରା
ମନୀଷ ଅନୁରାଗ ହତ୍ୟା ମାମଲାରେ ବନ୍ଧା ହେଲେ କନେଷ୍ଟବଳ । ମନୀଷ ଦାସ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ କରିବା, ବେଆଇନ୍ ଭାବେ ବାର୍ ଖୋଲିବା, ଅପରାଧିକ ଷଡ଼ଯନ୍ତ୍ର କରିବା ଅଭିଯୋଗରେ କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ଆଇପିସି ଦଫା ୧୨୦ (ବି), ୨୬୯, ୨୭୦, ୫୨ ଅବକାରୀ ଆଇନ୍ ୩, ୫, ୯୬ରେ ମାମଲା ରୁଜୁ କରିଛି ତମାଣ୍ଡୋ ଥାନା ପୋଲିସ ।
ସାଉଥ ସିଟି ବାର୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି ତଦନ୍ତ କରୁଥିବା କମିଶନରେଟ୍ ପୋଲିସ । ସାଉଥ ସିଟି ବାର ମ୍ୟାନେଜରଙ୍କ ସହ ହୋଟେଲ ମାଲିକ ପ୍ରଦ୍ୟୁମ୍ନ ଜେନାକୁ ଗିରଫ କରିଛି ପୋଲିସ ।
କମିଶନରେଟ୍ ପୋଲିସ ଗତକାଲି କନେଷ୍ଟବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବନ କରିଥିଲା । ଗତକାଲି ହୋଟେଲ ସାଉଥ ସିଟିରେ ରେଡ୍ କରିଥିଲା ପୋଲିସ । ସେଠାରୁ ବିପୁଳ ମଦ ଜବତ କରାଯାଇଥିଲା । କନେଷ୍ଟବଳ ପ୍ରସନ୍ନ ବେହେରା ସାଉଥ ସିଟି ବାରକୁ ଲିଜରେ ନେଇ ଚଳାଉଥିବା ଅଭିଯୋଗ ହୋଇଥିଲା । ଅଗଷ୍ଟ ମାସରେ ରାଜ୍ୟରେ ରାତ୍ରୀକାଳୀନ କର୍ଫ୍ୟୁ ଥିବାବେଳେ ନିର୍ଭୟରେ ଖୋଲୁଥିଲା ସାଉଥ ସିଟି । ନିଶା ସହ ଜମୁଥିଲା ନାଚଗୀତ । ଏ ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି ।
ମନୀଷ ହତ୍ୟା ଦିନ ରାତିରେ ତିନିସାଙ୍ଗ ଅମ୍ରିତ, ଦିନେଶ ଓ ମୃତ୍ୟୁଞ୍ଜୟ ସାଉଥ ସିଟି ବାରରେ ମଦ ପିଇବା ପରେ ବିଲକୁ ନେଇ ଝଗଡ଼ା କରିଥିଲେ । ଏହାପରେ ହୋଟେଲ ବାହାରେ ମାରପିଟ୍ ପରେ ମନୀଷଙ୍କ ମୃତ୍ୟୁ ହୋଇଥିଲା ।