
ୟାଙ୍ଗନ: ମ୍ୟାଁମାରର ପୂର୍ବତନ ରାଷ୍ଟ୍ରମୁଖ୍ୟ ଏବଂ ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ଅଙ୍ଗ ସାନ ସୁ-କୀଙ୍କୁ ଜେଲ୍ରୁ ମୁକ୍ତ କରାଯାଇଥିଲେ ସୁଦ୍ଧା ତାଙ୍କୁ ଗୃହବନ୍ଦୀ ଭାବେ ରଖାଯାଇଛି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ମ୍ୟାଁମାର ସରକାର କଏଦୀମାନଙ୍କ ଦଣ୍ଡାଦେଶକୁ ହ୍ରାସ କରିଥିବା ବେଳେ ସୁ-କୀଙ୍କୁ ମଧ୍ୟ ଏହାର ଲାଭ ମିଳିଛି।
ସୁ-କୀଙ୍କୁ କେଉଁ ସ୍ଥାନରେ ରଖାଯାଇଛି, ସେଥିପାଇଁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ତାଙ୍କ ଅବଶିଷ୍ଟ ଦଣ୍ଡାଦେଶ ସମୟ ଗୃହବନ୍ଦୀ ଭାବେ କଟିବ ବୋଲି କୁହାଯାଇଛି।
ଉଲ୍ଲେଖନୀୟ, ୨୦୨୧ ଫେବୃଆରୀ ୧ରେ ମ୍ୟାଁମାରରେ ସାମରିକ ବିଦ୍ରୋହ ଘଟି ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ପତନ କରାଯାଇଥିଲା। ସେହିଦିନଠାରୁ ସେ ଗିରଫ ହୋଇ ଜେଲ୍ରେ ରହୁଥିଲେ। ୨୦୨୨ରେ ଅଦାଲତ ତାଙ୍କୁ ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ କରି ୩୩ ବର୍ଷ ଜେଲ୍ଦଣ୍ଡାଦେଶ ଦେଇଥିଲା।
ବର୍ତ୍ତମାନ ସରକାରୀ ନିଷ୍ପତ୍ତି ଅନୁଯାୟୀ ସୁ-କୀଙ୍କ ଦଣ୍ଡାଦେଶକୁ କମାଇ ୧୮ ବର୍ଷ କରାଯାଇଛି। ତଥାପି ତାଙ୍କର ପୂର୍ଣ୍ଣ ସ୍ୱାଧୀନତା ନ ମିଳିବା ଓ ଗୃହବନ୍ଦୀ ଜାରି ରହିବା ନେଇ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚା ଜୋରଦାର ହୋଇଛି।



