ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି
ହୁ ହୁ ହୋଇ ବଢିଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର । ଯାହାକି ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି । ଏନେଇ ଆଜି ଦରବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ଆରମ୍ଭ କରିଛନ୍ତି ରାଲି । କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଚିନ୍ତାର କାରଣ ହୋଇଛି । ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ଆସିଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି । ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ । ବିଶେଷ କରି ଆର୍ଥିକ ପରିଚାଳନାରେ ମୋଦୀ ସରକାର ବିଫଳ ହୋଇଥିବା ଦଳ କହିଛି ।
ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ରଣନୀତି ବାବଦରେ ଘୋଷଣା କରଥିଲା ବିଜେଡି । ଏହି କ୍ରମରେ ଆଜି ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବ । ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ରାଲିରେ ବାହାରିଛନ୍ତି ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସମସ୍ତ ୧୪୭ ବିଧାନସଭା କ୍ଷେତ୍ରରେ ପ୍ରତିବାଦ କରିବ ବିଜେଡି ମହିଳା ମୋର୍ଚ୍ଚା । ୫ରୁ ୭ ତାରିଖ ଯାଏଁ ସମସ୍ତ ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପରେ ପ୍ରତିବାଦ ଆନ୍ଦୋଳନ କରିବ ବିଜେଡି ଯୁବ ଓ ଛାତ୍ର ସଂଗଠନ ।