
ଭବାନିପାଟଣା : ବାରହା ପାଇଁ ବିଛା ଯାଇଥିବା ଜାଲରେ ଫସିଗଲେ ଯୁବକ । ଆଉ ଅକାଳରେ ଚାଲିଗଲା ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଅଞ୍ଚଳରେ । ମୃତକ ଯୁବକ ଜଣକ ରାମପୁର ଅଞ୍ଚଳର ସଞ୍ଜୀବ ରଣା ବୋଲି ଜଣାଯାଇଛି। ସେ ଜଣେ ଡ୍ରାଇଭର ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ଅଲାବୁଲା ନିକଟରେ ଏକ ପୋଖରୀ ଥିବାରୁ ଗତକାଲି ବିଳମ୍ୱିତ ରାତ୍ରୀରେ ଶୌଚ ପାଇଁ ସଞ୍ଜୀବ ରଣା ସେଠାକୁ ଯାଇଥିଲେ। ମାତ୍ର ରାତି ଅନ୍ଧକାରରେ ସଞ୍ଜୀବ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ବହୁ ସମୟ ପର୍ଯ୍ୟନ୍ତ ସଞ୍ଜୀବ ନ ଫେରିବାରୁ ତାଙ୍କ ସହ ଥିବା ଅନ୍ୟ ଜଣେ ଡ୍ରାଇଭର ସୁରେନ୍ଦ୍ର ବାଗ ତାଙ୍କୁ ଖୋଜାଖୋଜି କରିବାକୁ ଯାଇଥିଲେ। ଏହାପରେ ସଞ୍ଜୀବ ତଳେ ପଡ଼ିଥିବା ଦେଖି ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। ଫଳରେ ସେ ବି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଏହା ଦେଖି ଏ ସମ୍ପର୍କରେ ନର୍ଲା ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଗୁରୁତର ସୁରେନ୍ଦ୍ରଙ୍କୁ ଉଦ୍ଧାର କରି ନର୍ଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ମେଡିକାଲ୍କୁ ସ୍ଥାନାନ୍ତର କରିଥିବା ସୂଚନାମିଳିଛି ।