ବହୁମତ ଅଙ୍କରେ ଅଟକିଲା ବିଜୟଙ୍କ ସରକାର ଗଠନ ସ୍ୱପ୍ନ

ଚେନ୍ନାଇ: ତାମିଲନାଡୁରେ ସରକାର ଗଠନକୁ ନେଇ ରାଜନୈତିକ ସସପେନ୍ସ ଜାରି ରହିଛି। ଅଭିନେତାରୁ ରାଜନେତା ହୋଇଥିବା ଥାଲାପଥି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବା ଆଶା ଏବେ ଅନିଶ୍ଚିତତାରେ ପଡ଼ିଛି। ଶନିବାର ହେବାକୁ ଥିବା ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏପର୍ଯ୍ୟନ୍ତ ସ୍ଥଗିତ ହୋଇଥିବା ସୂଚନା ମିଳିଛି।
ତାମିଲଗା ଭେଟ୍ରି କାଝାଗମ୍ (ଟିଭିକେ) ବିଧାନସଭା ନିର୍ବାଚନରେ ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ, ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ସଦସ୍ୟଙ୍କ ସମର୍ଥନ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବିଜୟ ରାଜ୍ୟପାଳ ଆର୍.ଭି. ଅର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଥିଲେ, କିନ୍ତୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଅନୁସାରେ ତାଙ୍କ ପାଖରେ କେବଳ ୧୧୬ ଜଣ ବିଧାୟକଙ୍କ ଲିଖିତ ସମର୍ଥନ ରହିଛି।
ଏହି ମଧ୍ୟରେ ଟିଭିକେର ସହଯୋଗୀ ଦଳ ଭିସିକେ ଉପ-ମୁଖ୍ୟମନ୍ତ୍ରୀ ପଦ ଦାବି କରିଥିବାରୁ ମେଣ୍ଟ ଭିତରେ ଚାପ ବଢ଼ିଛି। ଅନ୍ୟ କିଛି ଦଳ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ପାଇଁ ଦାବି କରୁଥିବା ଜଣାପଡ଼ିଛି।
ଅନ୍ୟପଟେ, ଆଇୟୁଏମଏଲ୍ ଏବଂ ଏଏମଏମକେ ଟିଭିକେକୁ ସମର୍ଥନ ନ କରିବାକୁ ସ୍ପଷ୍ଟ କରିଛନ୍ତି। ତେବେ କଂଗ୍ରେସର ୫ ଜଣ ବିଧାୟକ ଏବଂ ସିପିଆଇ, ସିପିଏମ୍ ଭଳି ବାମପନ୍ଥୀ ଦଳ ବାହ୍ୟ ସମର୍ଥନ ଘୋଷଣା କରିଛନ୍ତି।
ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି ଯେ ଆବଶ୍ୟକ ବହୁମତର ଲିଖିତ ପ୍ରମାଣ ମିଳିବା ପରେମାତ୍ର ସରକାର ଗଠନ ପାଇଁ ନିମନ୍ତ୍ରଣ ଦିଆଯିବ। ଏହା ସହିତ ତାମିଲନାଡୁରେ ସରକାର ଗଠନକୁ ନେଇ ଅନିଶ୍ଚିତତା ଆହୁରି ବଢ଼ିଛି।



