ଓଡ଼ିଶା
ଚାଲିଥିଲା ମରାମତି କାମ, ବିଦ୍ୟୁତ ଆଘାତରେ ଖୁଣ୍ଟରୁ ଖସି ପଡିଲେ ଲାଇନମ୍ୟାନ
ବିଦ୍ୟୁତ ଆଘାତରେ ଖୁଣ୍ଟରୁ ପଡି ଅସ୍ଥାୟୀ କର୍ମଚାରୀ ଗୁରୁତର। ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ନିକଟରେ ମରାମତି କାର୍ଯ୍ୟ ପାଇଁ ଖୁଣ୍ଟକୁ ଚଢିଥିବା ବେଳେ ବିଦ୍ୟୁତ ଆଘାତରେ ଖସିପଡିଲେ ଲାଇନମ୍ୟାନ।

ଗୁରୁତର ଆହତ ବ୍ୟକ୍ତି ହେଲେ ଟାଟା ପାୱାରର ଅସ୍ଥାୟୀ କର୍ମଚାରୀ ବିଜୟ କୁମାର ସାହୁ। ବିଜୟ ନିକଟସ୍ଥ ରେଙ୍ଗାଳବାହାଳ ଗ୍ରାମର ବାସିନ୍ଦା ହୋଇଥିବା ବେଳେ କିଛି ଦିନ ତଳେ ଟାଟା ପାୱାରରେ ଅସ୍ଥାୟୀ ଲାଇନମ୍ୟାନ ଭାବେ ଯୋଗ ଦେଇଥିଲେ । ଗୁରୁବାର ଅନ୍ୟ ଜଣେ ଲାଇନମ୍ୟାନଙ୍କ ସହ ମରାମତି କାର୍ଯ୍ୟ ପାଇଁ ଭାଲୁମୁଣ୍ଡା ଛକଠାରେ ଥିବା ବିଦ୍ୟୁତ ଖୁଣ୍ଟ ପାଖକୁ ଯାଇଥିଲେ।

ଅନ୍ୟ ଲାଇନମ୍ୟାନ ସର୍ଟଡାଉନ ପାଇଁ ନିକଟରେ ଥିବା ଫିଡରକୁ ଯାଇଥିବା ବେଳେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବା ପୂର୍ବରୁ ବିଜୟ ଖୁଣ୍ଟକୁ ଚଢିଯାଇଥିବା ଅନୁମାନ କରାଯାଉଛି। ଫଳରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଘାତ ପାଇ ତଳକୁ ଖସି ପଡିଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଗୁରୁତର ଆହତ ଅବସ୍ଥାରେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ସାଥୀ ଲାଇନମ୍ୟାନ। ବିଜୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।



