
ନୋଏଡା: ନୋଏଡାର ବିଭିନ୍ନ ସେକ୍ଟରରେ ସୋମବାର ଦରମା ବୃଦ୍ଧି ଦାବିରେ ଶ୍ରମିକମାନଙ୍କ ଆନ୍ଦୋଳନ ତୀବ୍ର ରୂପ ନେଇଛି। ଗତ ୩ରୁ ୪ ଦିନ ଧରି ଚାଲିଥିବା ପ୍ରତିବାଦ ସୋମବାର ହିଂସାତ୍ମକ ହୋଇଯାଇଥିଲା, ଯେଉଁଥିରେ ଅନେକ ପ୍ରମୁଖ ରାସ୍ତା ଅବରୋଧ ହେବା ସହ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇପଡ଼ିଥିଲା।
ଫେଜ-୨ ଅଞ୍ଚଳରେ ପ୍ରଦର୍ଶନ ସମୟରେ କେତେକ ଉତ୍ତ୍ୟକ୍ତ କର୍ମଚାରୀ ଯାନବାହାନକୁ ଜାଳି ଦେଇଥିଲେ ଏବଂ ପୋଲିସ୍ ଉପରେ ପଥର ମାଡ଼ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ୍କୁ ଲୁହ ବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ଘଟଣାସ୍ଥଳରେ ଭାରି ପୋଲିସ୍ ବଳ ମୋତାୟନ କରାଯାଇଛି।
କର୍ମଚାରୀମାନେ କୁଲେସରାରୁ ଫେଜ-୨ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିବା ବେଳେ ସେକ୍ଟର ୬୦ ସହ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରି ସ୍ଲୋଗାନ୍ ଦେଇଥିଲେ। କେତେକ ସ୍ଥାନରେ ପ୍ରତିବାଦକାରୀମାନେ ଚଳନ୍ତା ଯାନବାହାନ ସମ୍ମୁଖରେ ଶୋଇ ଯାତାୟାତ ବନ୍ଦ କରିଥିବା ଦେଖାଯାଇଛି।
ଶ୍ରମିକମାନଙ୍କ ପ୍ରମୁଖ ଦାବି ମଧ୍ୟରେ ମାସିକ ଦରମାକୁ ୧୩,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି, ଓଭରଟାଇମ୍ର ଦେୟ ଓ ଛୁଟି ପାଇଁ ପୃଥକ ବ୍ୟବସ୍ଥା ରହିଛି।
ଏହି ପ୍ରତିବାଦର ପ୍ରଭାବରେ ନୋଏଡାରେ ଯାତାୟାତ ବ୍ୟବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅଫିସ୍ ଯାତ୍ରୀମାନେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି।
ଏହି ସମୟରେ ଫରିଦାବାଦର ସେକ୍ଟର-୩୭ ସରାଇ ଖ୍ବାଜା ଅଞ୍ଚଳରେ ୫୦୦ରୁ ଅଧିକ କର୍ମଚାରୀ ଦରମା ବୃଦ୍ଧି ଦାବିରେ ପ୍ରତିବାଦ କରିଥିବା ବେଳେ ପଲୱାଲରେ ପୃଥଲା ନିକଟରେ କର୍ମଚାରୀମାନେ ଆଗ୍ରା ରାଜପଥ ଅବରୋଧ କରିଥିବା ସୂଚନା ମିଳିଛି। ପୋଲିସ୍ ପକ୍ଷରୁ ପରିସ୍ଥିତିକୁ ସାମ୍ୟବସ୍ଥାକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି ଓ ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ ଖୋଜାଯାଉଛି।



