
ଭୁବନେଶ୍ୱର: ରାଜ୍ୟରେ ପିଲାଙ୍କୁ ବିଛୁଆତି ଦଣ୍ଡ ଓ ମଧ୍ୟାହ୍ନ ଭୋଜନରେ ଲୁଣ-ଭାତ ଦିଆଯାଇଥିବା ଦୁଇଟି ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ଶିକ୍ଷା ବିଭାଗ। ନବରଙ୍ଗପୁର ଗସ୍ତରେ ଥିବାବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଉଭୟ ଘଟଣାର ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।
ଯାଜପୁର ଜିଲ୍ଲାର ଏକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ବିଛୁଆତି ଦଣ୍ଡ ଦିଆଯାଇଥିବା ଘଟଣାରେ ସେହି ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ସେହିପରି, କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳର ଏକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ଡାଲି ପରିବର୍ତ୍ତେ ଭାତ ସହ ଲୁଣ ଦିଆଯାଇଥିବା ଅଭିଯୋଗ ପରେ ସହକାରୀ ଶିକ୍ଷକ ସୁଶାନ୍ତ କୁମାର କହଁରଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି।
ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅଧୀନ ଶିମିଳିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଡାଲି ପରିବର୍ତ୍ତେ ଲୁଣ ସହ ଭାତ ଖାଇବାକୁ ଦିଆଯାଇଥିଲା। ଶିକ୍ଷକଙ୍କ ଭୟରେ ଛାତ୍ରଛାତ୍ରୀମାନେ କିଛି କହିପାରିନଥିଲେ ଏବଂ ବାଧ୍ୟ ହୋଇ ଏହା ଖାଇଥିଲେ।
ଘଟଣା ପ୍ରକାଶ ପାଇବା ପରେ ବିଇଓ ଗଣେଶ ପ୍ରଧାନ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବିଇଓ ଡମ୍ବରୁଧର ସାହୁ ଓ ସିଆର୍ସିସି ଭାସ୍କର ଚନ୍ଦ୍ର ସଂଗ୍ରାମସିଂଙ୍କ ତଦନ୍ତ ରିପୋର୍ଟ ଆଧାରରେ ସହକାରୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଚାର୍ଜ ଫ୍ରେମ କରାଯାଇଛି।
ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ ଏପରି ଘଟଣା ପୁଣି ଘଟିବାକୁ ଦିଆଯିବ ନାହିଁ ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋପରି ରଖାଯିବ।



