ଗ୍ୱାଲିୟରରେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍, ୧୩ ମୃତ, ୨୯ ଆହତ

ମଧ୍ୟପ୍ରଦେଶର ଗ୍ୱାଲିୟରରେ ଶୀତଳା ମାତା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ଏକ ଧାନ ବୋଝେଇ ଟ୍ରକ୍ ମାଡ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ରବିବାର ରାତି ପ୍ରାୟ ୧ଟା ୩୦ ମିନିଟ୍ରେ ଘଟିଥିବା ଏହି ଦୁର୍ଘଟଣାରେ ୨୯ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଗ୍ୱାଲିୟର ଏସ୍ଏସ୍ପି ଧର୍ମବୀର ସିଂହଙ୍କ ସୂଚନା ଅନୁଯାୟୀ, ଟ୍ରକ୍ଟି ଚିନୋର ଦିଗରୁ ଆସୁଥିଲା। ଭାରୀ ଯାନ ଚଳାଚଳ ନିଷିଦ୍ଧ ଥିବା ରାସ୍ତାରେ ଟ୍ରକ୍ଟି ପୁଲିସ ବ୍ୟାରିକେଡ୍ ଭାଙ୍ଗି ଆଗକୁ ମାଡ଼ିଯାଇଥିଲା। ଏହାପରେ ମନ୍ଦିର ଗେଟ୍ରେ ଧକ୍କା ଦେବା ସହ ରାସ୍ତାରେ ଥିବା ଶ୍ରଦ୍ଧାଳୁଙ୍କୁ ଚାପି ଦେଇଥିଲା। ଦୁର୍ଘଟଣାରେ ମନ୍ଦିର ଗେଟ୍ ଓ ବାହାର କାନ୍ଥ ସହ ନିକଟସ୍ଥ ଚାରୋଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ମଣ୍ଡିର ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ କିଛି ଭକ୍ତ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ।
ଜୟାରୋଗ୍ୟ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ସୁଧୀର ସାକ୍ସେନା ୧୩ ଜଣଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରୁ ୮ ଜଣଙ୍କ ପରିଚୟ ମିଳିଛି। ଅନ୍ୟ ଆହତଙ୍କ ଚିକିତ୍ସା ଓ ପରୀକ୍ଷା ଜାରି ରହିଛି। ନବରାତ୍ରି ଅବସରରେ ମନ୍ଦିରରେ ପ୍ରବଳ ଭିଡ଼ ଥିବାବେଳେ ଏହି ଦୁର୍ଘଟଣା ଘଟିଛି।



