ମୁଣ୍ଡନ ପରେ ଗଙ୍ଗା ନଦୀରେ ଗାଧୋଇବା ବେଳେ ବୁଡିଗଲେ 4ଜଣ

ଲକ୍ଷ୍ନୌ, 3 ମେ- ମୁଣ୍ଡନ ପରେ ଗଙ୍ଗା ନଦୀରେ ଗାଧୋଇବା ସମୟରେ ଛଅ ଜଣ ଗଭୀର ପାଣିରେ ଭାସିଗଲେ। ରବିବାର ଦିନ ଉତ୍ତର ପ୍ରଦେଶର ବାଲିଆ ଜିଲାରେ ଘଟିଛି ଏଭଳି ଘଟଣା । ଏହି ଦୁଃଖଦ ଦୁର୍ଘଟଣାରେ ଚାରି ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଦୁଇଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି ।
ଘଟଣାର ସୂଚନା ପାଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନକୁ ତୁରନ୍ତ ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ ଅନୁସାରେ, ଫେଫନା ଥାନା ଅଞ୍ଚଳର କଲ୍ୟାଣୀପୁର ନିବାସୀ ବଶିଷ୍ଠ ଚୌହାନଙ୍କ ପରିବାର ଏକ ମୁଣ୍ଡନ ଉତ୍ସବ ପାଳନ କରୁଥିଲେ । ରବିବାର ସକାଳେ, ସମଗ୍ର ପରିବାର ଏବଂ ସେମାନଙ୍କ ସମ୍ପର୍କୀୟମାନେ ବାଲିଆ ସିଟି କୋତୱାଲି ଥାନା ଅଞ୍ଚଳ ଅନ୍ତର୍ଗତ ଶିବରାମପୁର ଘାଟ (ବ୍ୟାସୀ) ରେ ଏକାଠି ହୋଇଥିଲେ। ପୂଜାର୍ଚ୍ଚନା ମଧ୍ୟରେ, ଲୋକମାନେ ଗଙ୍ଗାରେ ଗାଧୋଉଥିବା ସମୟରେ, ହଠାତ୍ ଚାରି ଜଣ ଝିଅ ଗଭୀର ପାଣିରେ ଫସି ବୁଡ଼ି ଯିବାକୁ ଲାଗିଲେ। ପାଖରେ ଉପସ୍ଥିତ ଦୁଇ ଜଣ ଯୁବକ ସେମାନଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଲେ । କିନ୍ତୁ, ପ୍ରବଳ ସ୍ରୋତ ଯୋଗୁଁ ସେମାନେ ମଧ୍ୟ ବୁଡ଼ି ଯାଇଥିଲେ ।



