
କଟକ: ଏଲପିଜି ସିଲିଣ୍ଡରର ଅବୈଧ ମହଜୁଦ ଓ କଳାବଜାରୀ ବିରୁଦ୍ଧରେ ରାଜ୍ୟବ୍ୟାପୀ ଚାଲିଥିବା କଡ଼ା ଅଭିଯାନରେ ବଡ଼ ସଫଳତା ମିଳିଛି। କଟକ ଓ ଯାଜପୁର ଜିଲ୍ଲାରେ ଚଢାଉ କରି ସମୁଦାୟ ୫୫୦ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ କରାଯାଇଛି।
କଟକ ସଦର ଥାନା ଅନ୍ତର୍ଗତ ଗଙ୍ଗେଶ୍ୱର ଅଞ୍ଚଳରେ ଗୁପ୍ତ ସୂଚନା ଆଧାରରେ ପୁଲିସ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଏହି ଚଢାଉ ସମୟରେ ଏକ ଗୋଦାମରୁ ପ୍ରାୟ ୫୦୦ଟି ଏଲପିଜି ସିଲିଣ୍ଡର ବେଆଇନ ଭାବେ ଗଚ୍ଛିତ ଅବସ୍ଥାରେ ଜବତ ହୋଇଥିଲା। ସୂଚନା ମିଳିଛି ଯେ, ଏହି ସିଲିଣ୍ଡରଗୁଡ଼ିକୁ ଚଢ଼ା ଦରରେ ବିକ୍ରୟ କରିବା ପାଇଁ ରଖାଯାଇଥିଲା। ଘଟଣା ସମ୍ପର୍କରେ ଈଶ୍ୱରପୁର ଅଞ୍ଚଳର ଅମରେନ୍ଦ୍ର ସାହୁଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି। ପରେ ଜବତ ସିଲିଣ୍ଡରଗୁଡ଼ିକୁ କଣ୍ଟାପଡ଼ାର ଏକ ଅଧିକୃତ ଗ୍ୟାସ୍ ଏଜେନ୍ସିକୁ ହସ୍ତାନ୍ତର କରାଯାଇଛି।
ସେହିପରି ଯାଜପୁର ଜିଲ୍ଲାରେ ମଧ୍ୟ ଯୋଗାଣ ବିଭାଗ କଳାବଜାରୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଚଣ୍ଡିଖୋଲ ସ୍ଥିତ ସ୍ୱାଇଁ ବଜାରର ଏକ ଦୋକାନରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା। ସେଠାରୁ ପ୍ରାୟ ୫୭ଟି ଏଲପିଜି ସିଲିଣ୍ଡର ଜବତ ହୋଇଥିଲା। ଦୋକାନ ମାଲିକ ଫେରାର ଥିବାରୁ ତାଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି।
ରାଜ୍ୟରେ ଏଲପିଜି ସିଲିଣ୍ଡର ଅଭାବ ଓ କୃତ୍ରିମ ଦର ବୃଦ୍ଧିକୁ ରୋକିବା ପାଇଁ ପ୍ରଶାସନ ଏହିପରି ଅଭିଯାନକୁ ଆଗାମୀ ଦିନରେ ଆହୁରି ତୀବ୍ର କରିବାକୁ ସୂଚନା ଦେଇଛି।



