
ଭିମସାରର ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଗତ ୬ ଦିନ ମଧ୍ୟରେ ୭ ଜଣ ଗର୍ଭବତୀଙ୍କ ମୃତ୍ୟୁ ଘଟଣା ଚିନ୍ତା ବଢ଼ାଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଛି।
ଭିମସାର ନିର୍ଦ୍ଦେଶକ ଡ. ଲାଲମୋହନ ନାୟକଙ୍କ ସୂଚନା ଅନୁସାରେ, ଗତ ୧ରୁ ୬ ତାରିଖ ମଧ୍ୟରେ ଘଟିଥିବା ଏହି ମୃତ୍ୟୁମାନଙ୍କ ମଧ୍ୟରୁ ୩ ଜଣ ଉଚ୍ଚ ରକ୍ତଚାପ, ଜଣେ ସିକିଲ ସେଲ୍ ରୋଗ, ଜଣେ ଅତ୍ୟଧିକ ରକ୍ତସ୍ରାବ ଓ ଜଣେ ନିରାପଦ ଗର୍ଭପାତ ସମୟରେ ପ୍ରାଣ ହରାଇଥିବା ପ୍ରାଥମିକ ତଥ୍ୟରୁ ଜଣାପଡ଼ିଛି। ଅନ୍ୟ ଜଣେ ଗର୍ଭବତୀଙ୍କ ମୃତ୍ୟୁ ସ୍ୱାଭାବିକ ପ୍ରସବ ସମୟରେ ଘଟିଥିବା କୁହାଯାଇଛି।
ସେହିପରି ଗୋଟିଏ ଔଷଧ ବ୍ୟବହାର ପରେ କିଛି ଗର୍ଭବତୀଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ସୂଚନା ମିଳିଛି। ତେବେ ମୃତ୍ୟୁବରଣ କରିଥିବା କେବଳ ଜଣେ ଗର୍ଭବତୀଙ୍କ ଠାରେ ଏହି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ବୋଲି ଡ. ନାୟକ କହିଛନ୍ତି।
ମୃତ୍ୟୁର ପ୍ରକୃତ କାରଣ, ଚିକିତ୍ସା ପ୍ରକ୍ରିୟା ଓ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଆଦି ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ବେଳେ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।



