ଓଡ଼ିଶା

ବେଙ୍ଗଲ ବିଜେପି ନେତା ଶୁଭେନ୍ଦୁଙ୍କ ପିଏଙ୍କୁ ଗୁଳି କରି ହତ୍ୟା

ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଓ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କୁ ବୁଧବାର ବିଳମ୍ବିତ ରାତିରେ ଗୁଳି କରି ହତ୍ୟା କରାଯାଇଛି। ମଧ୍ୟମଗ୍ରାମରେ ଘଟିଥିବା ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛରେ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ସନ୍ଦେହ କରୁଛି ପୁଲିସ୍‌। ଗୁଳିମାଡ଼ରେ ଚନ୍ଦ୍ରନାଥଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ପୁଲିସ୍‌ ସୂଚନା ଅନୁସାରେ, ଚନ୍ଦ୍ରନାଥ ନିଜ ସ୍କର୍ପିଓ ଗାଡ଼ିରେ ଘରକୁ ଫେରୁଥିବା ବେଳେ ଗୋଟିଏ ବାଇକ ଓ ସିଲଭର ରଙ୍ଗର ସାଣ୍ଟ୍ରୋ କାର ତାଙ୍କୁ ପିଛା କରୁଥିଲା। ସାଣ୍ଟ୍ରୋ କାରଟି ହଠାତ୍‌ ତାଙ୍କ ଗାଡ଼ିକୁ ଓଭରଟେକ କରି ରାସ୍ତା ମଝିରେ ଅଟକାଇ ଦେଇଥିଲା। ଗାଡ଼ିର ବେଗ କମିବା ସହିତ ବାଇକରେ ଥିବା ବନ୍ଧୁକଧାରୀମାନେ ଅତି ନିକଟରୁ ଗୁଳି ଚଳାଇଥିଲେ।

ଆକ୍ରମଣକାରୀମାନେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ଚନ୍ଦ୍ରନାଥଙ୍କ ଛାତି, ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ତାଙ୍କ ଡ୍ରାଇଭରଙ୍କ ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି ଓ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ ଆକ୍ରମଣ ପୂର୍ବରୁ ଦୁର୍ବୃତ୍ତମାନେ ପୂରା ଅଞ୍ଚଳର ରେକି କରିଥିଲେ ଓ ହତ୍ୟା ପରେ କେମିତି ଖସି ପଳାଇବେ, ତା’ର ମଧ୍ୟ ପୂର୍ବ ପ୍ରସ୍ତୁତି କରିଥିଲେ। ଆକ୍ରମଣରେ ବ୍ୟବହୃତ ବାଇକରେ କୌଣସି ନମ୍ବର ପ୍ଲେଟ ନଥିବା ବେଳେ ସାଣ୍ଟ୍ରୋ କାରଟି ସିଲିଗୁଡ଼ିରେ ପଞ୍ଜିକୃତ ହୋଇଥିବା ସୂଚନା ମିଳିଛି।

ଘଟଣାସ୍ଥଳରୁ ମିଳିଥିବା ବୁଲେଟ ଶେଲ ଆଧାରରେ ଆକ୍ରମଣକାରୀମାନେ ସମ୍ଭବତଃ ବିଦେଶୀ ନିର୍ମିତ ଗ୍ଲୋକ ପିସ୍ତଲ ବ୍ୟବହାର କରିଥିବା ପୁଲିସ୍‌ ଅନୁମାନ କରୁଛି। ଫରେନ୍ସିକ ଯାଞ୍ଚ ପରେ ଅସ୍ତ୍ର ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିବ ବୋଲି କୁହାଯାଇଛି।

ପୁଲିସ୍‌ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଘଟଣାର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ କରାଯାଇଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର ତଦନ୍ତ ସିବିଆଇକୁ ଦେବା ପାଇଁ ମଧ୍ୟ ଦାବି ଜୋର ଧରିଛି।

Show More

Related Articles

Back to top button