
ଭୁବନେଶ୍ୱର:ଓଡିଶାର ପ୍ରମୁଖ ହସ୍ତତନ୍ତୁ ସହକାରୀ ସଂସ୍ଥା ‘ବୟନିକା’ ଆଜି ତାହାର ୭୦ତମ ପ୍ରତିଷ୍ଠା ଦିବସ ପାଳନ କରି ରାଜ୍ୟର ସାଂସ୍କୃତିକ ଓ ଆର୍ଥିକ ଇତିହାସରେ ଏକ ମାଇଲ୍ସ୍ଟୋନ୍ ସୃଷ୍ଟି କରିଛି। ଏହି ଅବସରରେ ହସ୍ତତନ୍ତୁ ପରମ୍ପରା ସୁରକ୍ଷା ଓ ବୁଣକାରମାନଙ୍କ ସଶକ୍ତିକରଣ ପ୍ରତି ବୟନିକାର ସାତ ଦଶକର ଅବଦାନକୁ ଉଦ୍ଜାପିତ କରାଯାଇଛି।
ଅବସରରେ ଉପସ୍ଥିତ ହୋଇ ସହକାର, ହସ୍ତତନ୍ତୁ, ବସ୍ତ୍ର ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସମନ୍ତ କହିଥିଲେ ଯେ, ଓଡିଶାର ହସ୍ତତନ୍ତୁ ପରମ୍ପରା ରାଜ୍ୟର ସଂସ୍କୃତି ଓ ପରିଚୟର ଜୀବନ୍ତ ପ୍ରତିଛବି। ଏହି ଖାତା ହଜାର ହଜାର ବୁଣକାରଙ୍କୁ ଜୀବିକା ଯୋଗାଇ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରୁଛି।
ବୟନଭବନରେ ଅବସ୍ଥିତ ବୟନିକା ଏକ୍ସକ୍ଲୁସିଭ୍ ଶାଖାରେ ଆୟୋଜିତ ଉତ୍ସବକୁ ଉଦ୍ଘାଟନ କରି ସେ କହିଥିଲେ ଯେ, ବୟନିକା ବିଶ୍ୱାସ, ଗୁଣବତ୍ତା ଓ ସ୍ୱାଭିମାନର ପ୍ରତୀକ ଭାବେ ଓଡିଶାର ହସ୍ତତନ୍ତୁ ପରମ୍ପରାକୁ ଜାତୀୟ ଓ ଆନ୍ତର୍ଜାତୀୟ ମଞ୍ଚରେ ପରିଚିତ କରାଇଛି।
ଅତିଥି ଭାବେ ଯୋଗଦେଇଥିବା ବିଭାଗୀୟ କମିଶନର-କମ୍-ସଚିବ ଗୁହା ପୂନମ ତାପସ କୁମାର କହିଥିଲେ ଯେ, ବୟନିକା ତାହାର ଦୀର୍ଘ ଯାତ୍ରାରେ ଏକ ବିଶ୍ୱସନୀୟ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଛି।
ଏହି ଅବସରରେ ବୟନିକା ହସ୍ତତନ୍ତୁ ପଣ୍ୟରେ ଅତିରିକ୍ତ ୧୦% ରିବେଟ୍ ସହ ମୋଟ ୩୦% ରିଆୟତି ଘୋଷଣା କରିଛି, ଯାହା ଗ୍ରାହକମାନଙ୍କୁ ଆକର୍ଷିତ କରିବା ସହ ବୁଣକାରମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ।
୨୦୨୫-୨୬ ଆର୍ଥିକ ବର୍ଷରେ ବୟନିକା ୨୩୩.୫୬ କୋଟି ଟଙ୍କାର ବ୍ୟବସାୟ କରିଥିବାବେଳେ, ୨୦୨୬-୨୭ ପାଇଁ ୨୮୦ କୋଟି ଟଙ୍କା ଲକ୍ଷ୍ୟ ଧରାଯାଇଛି। ଏହାକୁ ସାଧ୍ୟ କରିବା ପାଇଁ ରିଟେଲ୍ ବିସ୍ତାର, ଡିଜିଟାଲ୍ ସଂଯୋଜନ ଓ ନୂତନ ବିପଣନ କୌଶଳ ଗ୍ରହଣ କରାଯିବ।
କାର୍ଯ୍ୟକ୍ରମରେ ବସ୍ତ୍ର ଓ ହସ୍ତତନ୍ତୁ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ, ବୟନିକା ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ମେହେର, ପ୍ରବନ୍ଧ ନିର୍ଦ୍ଦେଶିକା ନିବେଦିତା ପ୍ରୁଷ୍ଟିଙ୍କ ସହ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ।
ପରମ୍ପରା ଓ ଆଧୁନିକତାର ସମନ୍ୱୟ ସହ ବୟନିକା ଆଗାମୀ ଦିନରେ ମଧ୍ୟ ଓଡିଶାର ହସ୍ତତନ୍ତୁ ଐତିହ୍ୟକୁ ଗର୍ବ ସହ ପ୍ରଚାର କରିବାକୁ ପ୍ରତିବଦ୍ଧ ରହିଛି।



