
ନୂଆଦିଲ୍ଲୀ: ସାଂସଦ ରାଘବ ଚଢ୍ଢା ମଙ୍ଗଳବାର ଆମ ଆଦମି ପାର୍ଟି ଉପରେ କଟୁ ଆକ୍ରମଣ କରି ଦଳକୁ “ପ୍ରତିଶୋଧମୂଳକ ରାଜନୀତି” କରୁଥିବା ଅଭିଯୋଗ କରିଛନ୍ତି। ଆପ ଛାଡି ବିଜେପିରେ ମିଶିଥିବା ୭ଜଣ ସାଂସଦଙ୍କ ବିରୁଦ୍ଧରେ ପଞ୍ଜାବ ସରକାର ପ୍ରତିଶୋଧ ରାଜନୀତି କରୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ଅଭିଯୋଗ ଆଣିଛନ୍ତି ରାଘବ ଚଢ଼ା। ସେ କହିଛନ୍ତି ଯେ ଦଳ ଛାଡ଼ିଥିବା ନେତାମାନଙ୍କୁ ଲକ୍ଷ୍ୟ କରି ଭୟଭୀତ କରାଯାଉଛି ଓ ଭୁଲ ମାମଲା ରୁଜୁ ହେଉଛି।
ସେ ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କ ଘର ସମ୍ମୁଖରେ ଘଟିଥିବା ଘଟଣା ଉଲ୍ଲେଖ କରି ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ। ଶିଳ୍ପପତି ରଜିନ୍ଦର ଗୁପ୍ତାଙ୍କ କାରଖାନା ଉପରେ ଚାପ ପକାଯାଇଥିବା ଅଭିଯୋଗ ମଧ୍ୟ ସେ କରିଛନ୍ତି।
ଚଢ୍ଢା ସତର୍କ କରିଥିଲେ ଯେ ଏପରି ରାଜନୀତି ଭବିଷ୍ୟତରେ ଗୁରୁତର ପରିଣାମ ଆଣିପାରେ ଏବଂ ପ୍ରଶାସନକୁ ନିଷ୍ପକ୍ଷ ରହିବାକୁ ଆହ୍ୱାନ କରିଛନ୍ତି।ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପଞ୍ଜାବ ସରକାର ଉପରେ ଏଜେନ୍ସି ନିଯୁକ୍ତି ଦେବା ଏବଂ ରାଜ୍ୟ ପାଣ୍ଠି ବ୍ୟବହାର କରି ସମସ୍ତ ଆପ ଛାଡ଼ି ବିଜେପିରେ ମିଶିଥିବା ସାଂସଦଙ୍କୁ ଧମକ ଦେବା ଅଭିଯୋଗ କରିଥିଲେ। ରାଘବ କହିଛନ୍ତ ଯେ, ମୁଁ ଆପକୁ କହିବାକୁ ଚାହୁଁଛି ଯେ ସେମାନେ ଭିଜିଲାନ୍ସ ଏବଂ ପ୍ରଦୂଷଣ ବୋର୍ଡ ସାହାଯ୍ୟରେ ପ୍ରତିଶୋଧର ଏକ ବିପଦପୂର୍ଣ୍ଣ ଖେଳ ଆରମ୍ଭ କରିଛନ୍ତି। କିନ୍ତୁ ଶେଷ ବହୁତ ଖରାପ ହେବ। ସୂତ୍ର ଅନୁସାରେ ମୁଁ ସେମାନଙ୍କର ପରବର୍ତ୍ତୀ ନିଶାଣ ହେବି। ପଞ୍ଜାବ ସରକାର ସୋସିଆଲ ମିଡିଆରେ ଆମକୁ ଧମକାଇବା ପାଇଁ ଏଜେନ୍ସିଗୁଡ଼ିକୁ ନିଯୁକ୍ତି ଦେଇଛନ୍ତି। ଆପ ଏଥିରେ ପଞ୍ଜାବ ସରକାରଙ୍କ ପାଣ୍ଠି ବ୍ୟବହାର କରି କରୁଛି। ଏହି କାରଣରୁ ମୁଁ କହିଥିଲି ଯେ ଆପ ଦୁର୍ନୀତିଗ୍ରସ୍ତ ଏବଂ ଆପୋଷ ଲୋକଙ୍କ ହାତରେ ଫସି ରହିଛି ବୋଲି ସେ କହିଛନ୍ତି।



