
ଭାରତ ପାଇଁ ଅଗଷ୍ଟ ୭ ତାରିଖ ଦିନ ଐତିହାସିକ ଓ ସ୍ମରଣୀୟ ଦିନ। ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିବାର ଦିନ। ପୂରା ଦେଶ ଏହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲା। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଫିଙ୍ଗାରେ ନୀରଜ ଚୋପ୍ରା ଇତିହାସ ରଚି ୧୦୦ ବର୍ଷରେ ପ୍ରଥମ ଥର ଅଲିମ୍ପିକ୍ସରେ ଭାରତକୁ ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ଵର୍ଣ୍ଣ ପଦକ ଜିତାଇଛନ୍ତି। ପ୍ରାୟ ୧୩ ବର୍ଷ ପରେ ଅଲିମ୍ପିକ୍ସରେ ଭାରତର ଜାତୀୟ ସଙ୍ଗୀତ ବାଜିବାରୁ କୋଟି କୋଟି ଭାରତୀୟ ଭାବୁକ ହୋଇ ପଡିଛନ୍ତି।ହରିୟାଣାର ପାନିପତ ବାସିନ୍ଦା ନୀରଜ ଚୋପ୍ରା ଜାଭେଲିନ ଫିଙ୍ଗାରେ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଏହା ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଥମ ଏବଂ ବ୍ୟକ୍ତିଗତ ପ୍ରତିଯୋଗିତାରେ ଅଲିମ୍ପିକ୍ସରେ ଦ୍ଵିତୀୟ ସ୍ଵର୍ଣ୍ଣ ପଦକ।
ଏହା ପୂର୍ବରୁ ଅଭିନବ ବିନ୍ଦ୍ରା ୨୦୦୮ ବେଜିଂ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ଜିତି ଇତିହାସ ରଚିଥିଲେ। ନୀରଜ ସ୍ଵର୍ଣ୍ଣ ପଦକ ଜିତିବା ପରେ ତ୍ରିରଙ୍ଗା ଧରି ମଇଦାନରେ ଚକ୍କର କାଟିଥିଲେ ଏବଂ ଉତ୍ସବ ପାଳନ କରିଥିଲେ।ନୀରଜ ଚୋପ୍ରା ଆଥଲେଟିକ୍ସରେ ଅଲିମ୍ପିକ୍ସରେ ପଦକ ଜିତାଇବାରେ ପ୍ରଥମ ଭାରତୀୟ ଖେଳାଳି। ନୀରଜ ଫାଇନାଲ୍ ମୁକାବିଲାରେ ୭୭.୫୮ ମିଟର ଜାଭେଲିନ ଫିଙ୍ଗି ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଫାଇନାଲ୍ରେ କୌଣସି ବି ଆଥଲେଟ୍ ତାଙ୍କ ନିକଟତର ହୋଇ ପାରିନଥିଲେ। ନୀରଜ ଚୋପ୍ରା ଏକ ମାତ୍ର ଖେଳାଳି ଯାହାଙ୍କ ଜାଭେଲିନ ଫିଙ୍ଗା ଦୂରତା ୮୭ ମିଟର ଉପରେ ରହିଥିଲା। ଚେକ୍ ରିପବ୍ଲିକର ଜାବୁକ ଓ୍ଵେଡଲିଚ୍ ୮୬.୬୭ ମିଟର ଏବଂ ଭିତେସ୍ଲାବ ଓ୍ଵେସଲି ୮୫.୪୪ ମିଟର ଦୂରତା ସହ କ୍ରମଶଃ ଦ୍ଵିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।