ପୁଣି ମହଙ୍ଗା ହେଲା ରୋଷେଇ ଗ୍ୟାସ୍ ସିଲିଣ୍ଡର୍: ବଢ଼ିଲା ଏତିକି ଟଙ୍କା
ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ ପୁଣିଥରେ ବୃଦ୍ଧି ପାଇଛି। ତୈଳ କମ୍ପାନୀ ତରଫରୁ ସିଲିଣ୍ଡର୍ ଦାମ ୨୫ ଟଙ୍କା ବୃଦ୍ଧି ପାଇଛି।

ଏଲପିଜି ଗ୍ୟାସ୍ ଦାମ୍ ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୮୫୯.୫୦ ଟଙ୍କା ହୋଇଛି। ଏହା ପୂର୍ବରୁ ଜୁଲାଇରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ୍ ୨୫.୫୦ ଟଙ୍କା ବୃଦ୍ଧି ହୋଇଥିଲା।ଜୁନ ମାସରେ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୮୦୯ ଟଙ୍କା ଥିଲା ଯାହା ଜୁଲାଇରେ ବୃଦ୍ଧି ହୋଇ ୮୩୪ ଟଙ୍କା ହୋଇଥିଲା। ଜାନୁଆରୀ ୧ ତାରିଖରୁ ଯଦି ଦେଖାଯାଏ ତାହେଲେ ଆଜି ଯାଏଁ ୮ ମାସରେ ସିଲିଣ୍ଡର୍ ଦାମ୍ ୧୬୫ ଟଙ୍କା ବୃଦ୍ଧି ପାଇଛି।
ସିଲିଣ୍ଡର୍ ଦାମ୍ ବଢିବା ପରେ କୋଲକାତାରେ ୧୪.୨ କିଲୋର ଏଲପିଜି ୮୮୬ ଟଙ୍କା ହୋଇଛି। ମୁମ୍ବାଇରେ ଦାମ୍ ୮୫୯.୫୦ ଟଙ୍କା ହୋଇଛି। ଲକ୍ଷ୍ନୌରେ ସିଲିଣ୍ଡର୍ ଦାମ୍ ୮୯୭.୫୦ ଟଙ୍କା ହୋଇଛି।ତୈଳ କମ୍ପାନୀ ପ୍ରତି ମାସରେ ଏଲପିଜି ସିଲିଣ୍ଡର ଦାମ୍ ସମୀକ୍ଷା କରିଥାଏ ଏବଂ ଏହାପରେ ଦାମ୍ ବଢିବା ବା କମିବା ନେଇ ନିଷ୍ପତ୍ତି ହୋଇଥାଏ। ପ୍ରତି ରାଜ୍ୟରେ ଟ୍ୟାକ୍ସ ଭିନ୍ନ ଭିନ୍ନ ହୋଇଥାଏ। ସେଥିପାଇଁ ସିଲିଣ୍ଡର ଦାମ୍ ପ୍ରତି ରାଜ୍ୟରେ କିଛି କିଛି କମ ବେଶୀ ହୋଇଥାଏ। ବର୍ତ୍ତମାନ କେନ୍ଦ୍ର ସରକାର ଗ୍ରାହକଙ୍କୁ ଗୋଟିଏ ବର୍ଷଏ ୧୨ଟି ଘରୋଇ ସିଲିଣ୍ଡର ସବସିଡି ଦେଉଛି। କୌଣସି ଗ୍ରାହକ ଏହାଠାରୁ ଅଧିକ ସିଲିଣ୍ଡର ନେଲେ ସେମାନଙ୍କୁ ବଜାର ମୂଲ୍ୟରେ କିଣିବାକୁ ପଡିଥାଏ।