ରାଜ୍ୟରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ସମ୍ଭାବନା!
ହୋଇପାରେ ଆଉ ଦୁଇ ଦୁଇଟି ଳଘୁଚାପ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।
ଗତକାଲି ସୁମାତ୍ରା ଦ୍ୱୀପ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି କ୍ରମଶଃ ଘନୀଭୂତ ହେବ ଓ ୯ ତାରିଖରେ ଲଘୁଚାପରେ ପରିଣତ ହେବ । ୧୨ ବା ୧୩ତାରିଖରେ ତାମିଲନାଡ଼ୁ ଓ ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ଉପକୂଳରେ ଛୁଇଁବ । ଏଣୁ ବଙ୍ଗୋପସାଗରୀୟ ଲଘୁଚାପ ଅଧିକ ଘନୀଭୂତ ନ ହୋଇପାରେ । ଫଳରେ ଚେନ୍ନାଇ ସହ ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ ।
ବଙ୍ଗୋପସାଗରରେ ଲଘୁଚାପ ଘନିଭୂତ ହେବା ଫଳରେ ଏହାର ପ୍ରଭାବରେ ପୁରୀ,ଭୁବନେଶ୍ୱର,ଗୋପାଳପୁର,ସମେତ ସମୁଦ୍ର ସଲଗ୍ନ ଅଞ୍ଚଳରେ ୧୧ ଓ ୧୨ ତାରିଖ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ହାଲୁକା ଓ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ରାୟଗଡ଼ା ,କୋରାପୁଟ ଓ ମାଲକାନଗିରି ମଧ୍ୟ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।