ମେ’ ୧୧ରୁ ଗୁଗୁଲର ନୂଆ ନିୟମ ଲାଗୁ, ବନ୍ଦ ହୋଇଯିବ ଟ୍ରୁ-କଲରର କଲ୍ ରେକର୍ଡିଂ
ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲରରେ ରେକର୍ଡ ହେଉଥିବା କଲ୍ ରେକର୍ଡିଂ ବ୍ୟବସ୍ଥା ।
ନୂଆଦିଲ୍ଲୀ: ଏଣିକି ବନ୍ଦ ହୋଇଯିବ ଟ୍ରୁ-କଲରରେ ରେକର୍ଡ ହେଉଥିବା କଲ୍ ରେକର୍ଡିଂ ବ୍ୟବସ୍ଥା । ଏଣ୍ଡ୍ରଏଡ଼୍ ସ୍ମାର୍ଟ ମୋବାଇଲ ଫୋନରେ କଲ ରେକର୍ଡିଂ ଉପରେ ଗୁଗୁଲ ଶେଷରେ କଟକଣା ଲଗାଇବାକୁ ଘୋଷଣା କରିଛି । ଆସନ୍ତା ମେ’୧୧ ତାରିଖ ଠାରୁ ଗୁଗୁଲର ନୂଆ ନୀତି ଲାଗୁ ହେବ । ଏହାଦ୍ୱାରା ଏଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ଏଣିକି ତୃତୀୟ ପକ୍ଷ ଆପ୍ ଦ୍ୱାରା କଲ ରେକର୍ଡିଂ ସୁବିଧା ମିଳିବ ନାହିଁ । ଗୁଗୁଲର ଏହି ନୂଆ ନୀତି ଆସିବା ପରେ ଟ୍ରୁ-କଲର ମଧ୍ୟ ସ୍ପଷ୍ଟ କରିଛି ଯେ, ଏଣିକି ଏହି ଆପ ଦ୍ୱାରା କଲ୍ ରେକର୍ଡିଂ କରାଯାଇପାରିବ ନାହିଁ । ଭାରତରେ ଏବେ ଟ୍ରୁ-କଲର ଜରିଆରେ କଲ୍ ରେକଡ୍ କରାଯାଇପାରୁଛି, କିନ୍ତୁ ଗୁଗୁଲର ନୂଆ ନୀତି ଆସିବା ଦ୍ୱାରା ଏଥିରେ ବ୍ରେକ ଲାଗିବ । କେବଳ ଭାରତରେ ନୁହେଁ ବିଶ୍ୱର ସବୁ ସ୍ଥାନରେ ଟ୍ରୁକଲର ଆପ ଜରିଆରେ କଲ ରେକର୍ଡିଂର ବିକଳ୍ପ ବନ୍ଦ ହୋଇଯିବ । ଯେଉଁ ଆପରେ ମୂଳରୁ ହିଁ କଲ ରେକର୍ଡିଂର ସୁବିଧା ରହିଛି ତାହା ଜାରି ରହିବ, କିନ୍ତୁ ଯେଉଁ ସ୍ମାର୍ଟଫୋନରେ କଲ ରେକର୍ଡିଂ ପାଇଁ ଭିନ୍ନ ଆପ ଡ଼ାଉନଲୋଡ଼ କରିବାକୁ ଆବଶ୍ୟକ ପଡ଼ୁଥିଲା ତାହା ଆଉ ସମ୍ଭବପର ହୋଇପାରିବ ନାହିଁ । କଲ ରେକର୍ଡିଂକୁ ନେଇ କିଛି ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି । ଅନେକ ଦେଶରେ କଲ ରେକର୍ଡିଂକୁ ଅବୈଧ କରାଯାଇଛି । କାରଣ କଲ ରେକର୍ଡିଂକୁ ନେଇ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ଗୋପନୀୟତା ଉପରେ ପ୍ରଶ୍ନ ଉଠୁଥିବା ନେଇ ବାରମ୍ବାର ଅଭି ଆସୁଛି ।