
ରାଜ୍ୟର ଚାଷୀଙ୍କ ପାଇଁ ଆସନ୍ତାକାଲି ‘ସିଏମ୍-କିସାନ’ ଯୋଜନା ଅଧୀନରେ ରବି ୨୦୨୬-୨୭ କିସ୍ତିର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଏଥିପାଇଁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀଙ୍କୁ ସିଏମ୍-କିସାନ ସହାୟତା ରାଶି ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ପିଭିଟିଜି ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ।
ସରକାରଙ୍କ ପକ୍ଷରୁ ଏଥିପାଇଁ ୮୩୩ କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯିବ। ଡିବିଟି ବ୍ୟବସ୍ଥାରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯିବ। ଏହା ଚାଷୀଙ୍କ ଆର୍ଥିକ ଆବଶ୍ୟକତା ପୂରଣ ସହ କୃଷି କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ରାଜ୍ୟସ୍ତରୀୟ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ସେହିପରି ବିଭିନ୍ନ ଜିଲ୍ଲାରେ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ। ଏଥିରେ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଯୋଗଦେଇ ଚାଷୀଙ୍କୁ ସିଏମ୍-କିସାନ କିସ୍ତି ପ୍ରଦାନ କରିବେ।
ସିଏମ୍-କିସାନ ଯୋଜନା ମାଧ୍ୟମରେ କୃଷକ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଚାଷକୁ ଅଧିକ ଲାଭଜନକ ଓ ସ୍ଥାୟୀ କରିବା ସହ ରାଜ୍ୟର କୃଷି ଅର୍ଥନୀତିକୁ ଗତିଶୀଳ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।



