ସରକାରୀ ଅର୍ଥ ହେରଫେର ମାମଲାରେ ପୂର୍ବତନ ଢେଙ୍କାନାଳ ଜିଲ୍ଲାପାଳ ଦୋଷୀ, ୩ ଜଣଙ୍କୁ ୧ ବର୍ଷ ଜେଲ୍

ଢେଙ୍କାନାଳ: ଦୀର୍ଘଦିନ ଧରି ଚାଲିଥିବା ସରକାରୀ ଅର୍ଥ ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ନିତ୍ୟାନନ୍ଦ ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ସହ ଢେଙ୍କାନାଳର ପୂର୍ବତନ ପିଡି, ଡିଆର୍ଡିଏ ସୂର୍ଯ୍ୟନାରାୟଣ ଦାସ ଏବଂ ପୂର୍ବତନ ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ମଧ୍ୟ ଏହି ମାମଲାରେ ଦୋଷୀ ହୋଇଛନ୍ତି।
ଢେଙ୍କାନାଳ ଭିଜିଲାନ୍ସ ସ୍ପେଶାଲ୍ ଜଜ୍ଙ୍କ ଅଦାଲତ ଗୁରୁବାର ମାମଲାର ରାୟ ପ୍ରକାଶ କରିଛନ୍ତି। ପ୍ରାୟ ୯ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ଓ ଅପବ୍ୟବହାର ନେଇ ତିନିଜଣଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।
ଅଭିଯୋଗ ଅନୁଯାୟୀ, ସରକାରୀ କାର୍ଯ୍ୟ ସମ୍ପାଦନ ଓ ପରିବହନ ସମ୍ବନ୍ଧୀୟ କାରବାରରେ ନିୟମ ଉଲ୍ଲଂଘନ କରି ଅନିୟମିତତା କରାଯାଇଥିଲା। ଏହାଦ୍ୱାରା ସରକାରୀ ଅର୍ଥର ଅପବ୍ୟବହାର ହୋଇଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ମାମଲା ରୁଜୁ କରି ତଦନ୍ତ କରିଥିଲା। ତଦନ୍ତ ଶେଷରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ମାମଲାରେ ଉପସ୍ଥାପିତ ଦସ୍ତାବିଜ୍, ପ୍ରମାଣ ଓ ସାକ୍ଷ୍ୟର ବିଚାର କରି ଅଦାଲତ ନିତ୍ୟାନନ୍ଦ ମହାନ୍ତି, ସୂର୍ଯ୍ୟନାରାୟଣ ଦାସ ଏବଂ ସତ୍ୟାନନ୍ଦ ବଳସାମନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତିନିଜଣଙ୍କୁ ଏକ ବର୍ଷ ଲେଖାଏଁ କାରାଦଣ୍ଡ ପ୍ରଦାନ କରାଯାଇଛି।



