କେଜିଏଫ୍ ଫିଲ୍ମି ଅଭିନେତା ମୋହନ ଜୁନେଜାଙ୍କ ଆଜି ଦେହାନ୍ତ ହୋଇଛି

ବେଙ୍ଗାଲୁରୁ : କେଜିଏଫ୍ ଚାପ୍ଟର ୨ ଫିଲ୍ମି ଅଭିନେତା ମୋହନ ଜୁନେଜାଙ୍କର ଆଜି ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ମୋହନ ଜୁନେଜା ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଦର୍ଶକଙ୍କୁ ନିଜ କମେଡିରେ ହସାଉଥିବା ମୋହନ ଜୁନେଜା ଆଜି ଦର୍ଶକଙ୍କ ଆଖିରେ ଲୁହ ଦେଇ ସବୁଦିନ ପାଇଁ ଏ ଦୁନିଆ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ମୋହନ ଜୁନେଜା ହାସ୍ୟଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କେଜିଏଫରେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ । ସେ ଏହା ପୂର୍ବରୁ ତାମିଲ, ତେଲୁଗୁ, ମଲାୟାଲମ ଏବଂ ହିନ୍ଦୀ ଭାଷାର ଅନେକ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ସେ କେଜିଏଫ୍ ଚାପ୍ଟର ୧ ଏବଂ କେଜିଏଫ୍ ଚାପ୍ଟର ୨ରେ ନଜର ଆସିଥିଲେ । ଅଭିନେତା ତଥା ହାସ୍ୟଅଭିନେତା ମୋହନ ଜୁନେଜାଙ୍କୁ ‘ଚେତଲା’ ଫିଲ୍ମରେ ବଡ ବ୍ରେକ୍ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଛୁଇଁଥିଲା । ମୋହନ ଜୁନେଜା ପିଲାଦିନୁ ଅଭିନେତା ହେବାକୁ ଚାହୁଁଥିଲେ । କଲେଜ ସମୟରେ ସେ ନାଟକରେ ଭାଗ ନେଉଥିଲେ । ୨୦୦୮ରେ କନ୍ନଡ ଫିଲ୍ମ ‘ସଙ୍ଗମା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ ।


