Top 5 ଅର୍ଥନୀତିରେ ଭାରତ !
ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ ପଡିବ କିପରି ପ୍ରଭାବ

ଭାରତୀୟ ଅର୍ଥବ୍ୟବସ୍ଥା ଶନିବାର ସକାଳୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଉଲ୍ଲେଖଯୋଗ୍ୟ ଯେ ଭାରତ ପୁଣି ଥରେ ବିଶ୍ୱର ଟପ୍ ୫ ଇକୋନମିରେ ଏଣ୍ଟ୍ରି କରିଛି। ତ୍ରୈମାସିକ ଆଧାରରେ ବ୍ରିଟେନକୁ ପଛରେ ପକାଇଛି ଭାରତ। ଏଥିରେ ଭାରତର ବିକାଶକୁ ଦେଖିଲେ ବାର୍ଷିକ ଆଧାରରେ ମଧ୍ୟ ଏହା ବିଶ୍ୱର ୫ମ ଅର୍ଥ ବ୍ୟବସ୍ଥା ହୋଇପାରେ। ଏଣୁ ଏଥର ଟପ ୫ରେ ଭାରତର ଏଣ୍ଟ୍ରିକୁ ସ୍ଥାୟୀ ଓ ଆଗକୁ ଏଥିରେ ସୁଧାର ହିଁ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି।
ତେବେ ଏହିସବୁ ଖବର ସହିତ ସାଧାରଣ ଲୋକଙ୍କ ସମ୍ପର୍କ କ’ଣ ତାକୁ ନେଇ ପକ୍ଷ ବିପକ୍ଷ ତର୍କ ଆରମ୍ଭ ହୋଇଯାଇଛି। ଏପରି ପ୍ରଶ୍ନ ଉଠିବା ମଧ୍ୟ ସ୍ୱଭାବିକ, କାରଣ ରାଙ୍କିଙ୍ଗରେ ସୁଧାର ସହ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ଜାଣିବାକୁ ସମସ୍ତେ ଉତ୍ସାହୀ ଓ ସମସ୍ତେ ଜାଣିବା ନିହାତି ଦରକାର ମଧ୍ୟ। ତେବେ ଆସନ୍ତୁ ଜାଣିବା ଭାରତରେ ସାଧାରଣ ଲୋକଙ୍କ ଉପରେ ପଡିବ କିପରି ପ୍ରଭାବ। ଆର୍ଥିକ ସଂକଟ କେବଳ ଭାରତ ନୁହେଁ ଏବେ ସାରା ବିଶ୍ୱ ଏହାର ସମ୍ମୁଖୀନ ହୋଇଛି। ତେବେ ବ୍ରିଟେନ ଅପେକ୍ଷା ଭାରତ ଆର୍ଥିକ ସଂକଟର ସଠିକ ମୁକାବିଲା କରିବାରେ ସକ୍ଷମ ହୋଇଛି। ବ୍ରିଟେନକୁ ତାର ସୁସ୍ତି ଯୋଗୁ କ୍ଷତିର ସମ୍ମୁଖୀନ ହେବାକୁ ପଡିଛି। ଡଲାର ତୁଳନାରେ ଭାରତୀୟ ଟଙ୍କାର ପ୍ରଦର୍ଶନ ବ୍ରିଟିଶ ପାଉଣ୍ଡ ଠାରୁ ମଧ୍ୟ ବେଶ ଭଲ ରହିଛି।
ଯେଉଁ ତ୍ରୈମାସିକରେ ଏହି ହିସାବ କରାଯାଇଥିଲା ଡଲାର ତୁଳନାରେ ଭାରତୀୟ ଟଙ୍କାର ପ୍ରଦର୍ଶନ ବ୍ରିଟିଶ ପାଉଣ୍ଡ ଠାରୁ ମଧ୍ୟ ବେଶ ଭଲ ଥଲା। ଦ୍ୱିତୀୟତଃ ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ୭ ପ୍ରତିଶତ ହାରରେ ବିକଶିତ ହେଉଛି। ଏହି ହିସାବରେ ଦେଖିଲେ ବ୍ରିଟିଶ ଅର୍ଥ ବ୍ୟବସ୍ଥାର ଗ୍ରୋଥ ୧ ପ୍ରତିଶତରୁ ମଧ୍ୟ କମ ରହିଛି। ଭାରତ ଗ୍ରୋଥ କାୟମ ରଖିବା ସହ ଏଥିରେ ତୀବ୍ର ବିକାଶ କରୁଛି ତେବେ ବ୍ରିଟେନ ଭାରତ ଭଳି ପ୍ରଦର୍ଶନ କରି ନ ପାରିବା ଯୋଗୁ ପଛେଇ ଯାଇଛି।
ସାଧାରଣ ଲୋକଙ୍କ ଉପରେ କିପରି ରହିବ ପ୍ରଭାବ
ଭାରତୀୟ ଅର୍ଥ ବ୍ୟବସ୍ଥା ଏବେ ମୂଲ୍ୟ ବୃଦ୍ଧି, ଟଙ୍କାର ମୂଲ୍ୟ ହ୍ରାସ, ଅଶୋଧିତ ତୈଳର ଉଚ୍ଚ ଦର ଆଦି ସମସ୍ୟାରେ ସମ୍ମୁଖୀନ ହୋଇଛି। ତେବେ ଏହା କେବଳ ଭାରତର ନୁହେଁ ସମଗ୍ର ବିଶ୍ୱର ସମସ୍ୟା ପାଲଟିଛି। ଏଣୁ ରାଙ୍କିଙ୍ଗ ବଢିଗଲେ ଏହାର ତୁରନ୍ତ ପ୍ରଭାବ ହୁଏତ ଜନଜୀବନ ଉପରେ ପଡି ନପାରେ, ହେଲେ ଦୀର୍ଘ କାଳିକ ଏହାର ପ୍ରଭାବ ନିଶ୍ଚିତ ପଡିବ ବୋଲି କୁହାଯାଇଛି। କାରଣ ମୂଲ୍ୟ ବୃଦ୍ଧି କେବଳ ଭାରତ ନୁହେଁ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ କବଳିତ କରିଛି। ଏଣୁ ଅର୍ଥବ୍ୟବସ୍ଥାମାନଙ୍କ ସାଇଜ କମ ବେଶି ହେଉଛି। ଏହାର ଅର୍ଥ ନୁହେଁ ଭାରତ ଲାଗି ଏହି ଉପଲବ୍ଧି କେବଳ ନାମକୁ ବୋଲି କୁହାଯାଇ ନପାରେ। ମଧ୍ୟମରୁ ଦୀର୍ଘ ଅବଧିରେ ଶୀର୍ଷ ୫ରେ ସାମିଲ ହେବା କେବଳ ଅର୍ଥ ବ୍ୟବସ୍ଥା ନୁହେଁ ଦେଶର ଜନତାଙ୍କ ଉପରେ ମଧ୍ୟ ସକରାତ୍ମକ ପ୍ରଭାବ ନିଶ୍ଚିତ ପଡିବ ବୋଲି କୁହାଯାଇଛି।
ଦେଶ ଉପରେ କିପରି ରହିବ ପ୍ରଭାବ
ଟପ ୫ ଅର୍ଥବ୍ୟବସ୍ଥାରେ ସାମିଲ ହେବା ଭାରତ ଲାଗି ଗର୍ବ ଓ ଗୌରବର ବିଷୟ। ରପ୍ତାନୀର ସୁଯୋଗ ହେଉ କି ପାସପୋର୍ଟର ଶକ୍ତି, ଏହା ଦ୍ୱାରା ସାରା ବିଶ୍ୱରେ ଭାରତୀୟଙ୍କ ସ୍ଥିତି ମଜଭୁତ ହେବ। କାରଣ ମଜଭୁତ ଅର୍ଥ ବ୍ୟବସ୍ଥା ସହିତ ସମସ୍ତେ ସବୁ ପ୍ରକାର ମଜଭୁତ ସମ୍ପର୍କ ରଖିବାକୁ ଚାହିଁଥାନ୍ତି। ତେବେ ଏହାର ସବୁ ବଡ ପ୍ରଭାବ ଏହା ହେବ ବିଦେଶୀ ନିବେଶକଙ୍କ ଭାରତ ଉପରେ ଆସ୍ଥା ବଢିବ। କଷ୍ଟକର ସମୟରେ ମଧ୍ୟ ଭାରତୀୟ ଅର୍ଥନୀତି ମଜଭୁତ ସ୍ଥିତିରେ ରହିବା ନିବେଶକଙ୍କ ଉପରେ ସବୁଠୁ ସକରାତ୍ମକ ପ୍ରଭାବ ପକାଇବ। ଏଣୁ ସାରା ବିଶ୍ୱରେ ରିକୋଭରି ସହ ଭାରତର ପରିସ୍ଥିତି ଆହୁରି ଅଧିକ ମଜଭୁତ ହେବ। ଯାହା ନିବେଶ ଲାଗି ବେଶ ଆକର୍ଷକ ହେବ। ଏଥିରେ ଏବେ ବଡ଼ ସଂଖ୍ୟାରେ ନିବେଶକ ଚୀନ୍ରେ ବିକଳ୍ପ ସନ୍ଧାନ କରୁଛନ୍ତି। ନୂଆ ରାଙ୍କିଙ୍ଗ ଏପରି ନିବେଶକଙ୍କ ଲାଗି ମଧ୍ୟ ବଡ ସଙ୍କେତ ସାବ୍ୟସ୍ତ ହେବ। ଏଥିରେ ଯଦି ବିଦେଶୀ ନିବେଶକ ବହୁ ସଂଖ୍ୟାରେ ଭାରତରେ ନିବେଶ କରନ୍ତି ଦେଶର ଏଫଡିଆଇ ବଢିବା ସହ ରୋଜଗାରର ନୂଆ ଅବସର, ଲୋକଙ୍କ ଆୟ ଓ ଯେଉଁମାନେ କିଛି ନୂଆ କରିବାକୁ ଚାହୁଁଛନ୍ତି ସେମାନଙ୍କ ଲାଗି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଅର୍ଥାତ ଭାରତ ଟପ ୫ ଅର୍ଥନୀତିରେ ସାମିଲ ହେବା ଭାରତୀୟଙ୍କ ଲାଗି ନୂଆ ଅବସର ଆଣିବ।