ଆସନ୍ତା ସୂର୍ଯ୍ୟପରାଗରେ ପୂଜାବିଧିକୁ ନେଇ କ’ଣ ରହିଛି ନିୟମ
ପାଖେଇ ଆସୁଛି କାଳୀ ପୂଜା ଅଥବା ଦୀପାବଳି ଅମାବାସ୍ୟା । ଏଥିପାଇଁ ବିଭିନ୍ନ ସ୍ଥାନରେ ଉତ୍ସାହର ସହିତ ପ୍ରସ୍ତୁତି ଚାଲିଛି। ତେବେ ସେହି ସମୟରେ ବର୍ଷାର ସମ୍ଭାବନା ଥିବାବେଳେ ଆଉ ଗୋଟିଏ ସମସ୍ୟା ରହିଛି ହେଉଛି ସୂର୍ଯ୍ୟୋପରାଗ । ୨୪ ତାରିଖ କାଳୀପୂଜା ପରଦିନ ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଛି । ତେଣୁ ସେଦିନ ପୂଜାବିଧି କିଭଳି ରହିବ ଏବଂ ଲୋକେ ପାଳନ କେମିତି କରିବେ ଆସନ୍ତୁ ଜାଣିବା ସେ ବିଷୟରେ।
କେତୁଗ୍ରସ୍ତ ଖଣ୍ଡଗ୍ରାସ ସୂର୍ଯ୍ୟୋପରାଗ ଆଗାମୀ ୨୫ ତାରିଖ ମଙ୍ଗଳବାର ଦିନ ଦୃଶ୍ୟ ହେବ । ପ୍ରାୟ ୧୬ ମିନିଟ୍ ୨୬ ସେକେଣ୍ଡ ପର୍ଯ୍ୟନ୍ତ ଏହା ଶ୍ରୀକ୍ଷେତ୍ର ପୁରୀକୁ ଦେଖାଯିବ । ଏହା ସ୍ପର୍ଶ ହେବ ଅପରାହ୍ନ ୪ଟା ୫୬ ମିନିଟ୍ ୫୨ ସେକେଣ୍ଡରେ । ଆଉ ମୋକ୍ଷ ହେବ ସନ୍ଧ୍ୟା ୫ଟା ୪୩ ମିନିଟ୍ ୪୬ ସେକେଣ୍ଡରେ । ତେବେ ୨୫ ତାରିଖ ଅପରାହ୍ନରେ ସିନା ସୂର୍ଯ୍ୟୋପରାଗ ଲଗିବ । ହେଲେ ଏହା ପୂର୍ବ ଦିନ ଅର୍ଥତ ୨୪ ତାରିଖ ସୋମବାର ଭୋର ୪ଟା ୫୭ ମିନିଟ୍ରୁ ପାକ ତ୍ୟାଗ ରହିଛି । ତେଣୁ ଏହି ସମୟ ଠାରୁ ଭୋଜନ ଏବଂ ଖାଦ୍ୟ ରାନ୍ଧିବା ନିଷେଧ । ଏହା ସହିତ ଦେବନୀତି ମଧ୍ୟ ନିଷେଧ ରହିବ । କେବଳ ବାଲ୍ୟ, ବୃଦ୍ଧ ଏବଂ ରୋଗୀମାନେ ଖାଦ୍ୟ ଖାଇବା ଭଳି କଟକଣାରୁ ମୁକ୍ତ ରହିବେ ।
ପରଦିନ ୨୬ ତାରିଖ ବୁଧବାର ସୂର୍ଯ୍ୟ ଦର୍ଶନ ପରେ ଦେବାଦେବୀଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ନୀତି ଆରମ୍ଭ ହେବ । ଗ୍ରହଣ ବା ଉପରାଗ ଦର୍ଶନ କରିବା ପରେ ସ୍ନାନ କରିବାକୁ ହେବ । ତାପରେ ଯଥାରୀତି ଅନୁଯାୟୀ ନିତିକାନ୍ତି ହେବ।