ନାଇଜେରିଆରେ ତାଣ୍ଡବ ରଚିଛି ବନ୍ୟା । ଫଳରେ ୬୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୧.୩ ନିୟୁତ ଜନତା ବାସହରା ହୋଇପଡିଛନ୍ତି । ଏନେଇ ‘ବିବିସି’ ରିପୋର୍ଟ ପକ୍ଷରୁ ଜଣାପଡିଛି । ଅଧିକ ବିପଦ ଥିବା ଅଞ୍ଚଳରୁ ଜନସାଧାରଣଙ୍କୁ ସ୍ଥାନାନ୍ତର କରିବା ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଓ ମାନବୀୟ ବ୍ୟାପାର ମନ୍ତ୍ରୀ ସାଦିୟା ଉମର୍ ଫାରୋକ୍ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।
ଟୁଇଟର୍ରେ ପୋଷ୍ଟ୍ କରାଯାଇଥିବା ନାଇଜେରିଆର ମାନବୀୟ ବ୍ୟାପାର ମନ୍ତ୍ରାଳୟ ବିବୃତିରେ ଉଲ୍ଲେଖ ଅଛି ଯେ, ବନ୍ୟା ଯୋଗୁଁ ୧.୩ ନିୟୁତରୁ ଅଧିକ ଜନତା ଘରଦ୍ବାର ଛାଡ଼ିବାକୁ ବାଧ୍ୟ ହୋଇଥିଲେ।
ମାନବୀୟ ବ୍ୟାପାର ମନ୍ତ୍ରୀ ସାଦିୟା ଉମର୍ ଫାରୋକ୍ କହିଛନ୍ତି, ଦୁଃଖର ବିଷୟ, ଆଜିକୁ ମିଶାଇ ୬୦୩ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।
ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ କହିବା ଅନୁସାରେ, ଅନେକ ଥର ସତର୍କ ସୂଚନା ଜାରି କରାଯିବା ସତ୍ତ୍ବେ ଅଧିକାଂଶ ପ୍ରଦେଶ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହେବାରୁ ଦେଶରେ ବନ୍ୟା ପରିସ୍ଥିତି ବେକାବୁ ହୋଇଗଲା।