ଭଞ୍ଜନଗର : ରାଜନୈତିକ ସଂଘର୍ଷ ନେଲା ଜୀବନ । ଘରୁ ଡାକି ନେଇ ଯୁବକଙ୍କୁ ରାସ୍ତା ଉପରେ ପିଟି ପିଟି ହତ୍ୟା। ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କଳିଆଗୁଡା ଗ୍ରାମରେ ଘଟିଛି। ମୃତକ ହେଲେ କଳିଆଗୁଡା ଗ୍ରାମର ୨୫ ବର୍ଷୀୟ ଅମର ରାଉତ । ଏହି ଆକ୍ରମଣରେ ଅମରଙ୍କ ସାଙ୍ଗ ୨୪ ବର୍ଷୀୟ ଶିବରାମ ପ୍ରଧାନ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି।
ଅମର ଓ ଶିବରାମ ଗୋଟିଏ ଗାଁର ହୋଇଥିବା ବେଳେ ସେମାନେ ସାଙ୍ଗ ଅଟନ୍ତି। ଅମରଙ୍କର ପୂର୍ବରୁ କିଛି ଯୁବକଙ୍କ ସହ ଛକାପଞ୍ଝା ଲାଗି ରହିଥିଲା। ଗତକାଲି ଏହି ଘଟଣାର ମିମାଂସା କରିବାକୁ ଜଣେ ଯୁବକ ସନ୍ଧ୍ୟାରେ ଅମରଙ୍କୁ ତାଙ୍କ ଘରୁ ଡାକି ନେଇଥିଲା। ଅମର ଯିବା ବେଳେ ଶିବରାମକୁ ବି ସାଙ୍ଗରେ ନେଇ ଯାଇଥିଲେ।
ଗାଁଠୁ ପ୍ରାୟ ଦେଢ କିମି ବାଟ ଯିବା ପରେ ପ୍ରାୟ ୧୦ରୁ ୧୫ ଯୁବକ ଏକତ୍ରିତ ହୋଇ ଉଭୟଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କଲେ। ସେମାନେ ଉଭୟ ଅମର ଓ ଶିବରାମଙ୍କୁ ଠେଙ୍ଗାରେ ପ୍ରବଳ ପିଟିଥିଲେ। ଉଭୟ ରାସ୍ତାରେ ପଡ଼ି ଛଟପଟ ହେଉଥିବା ବେଳେ ଆକ୍ରମଣକାରୀମାନେ ସେଠାରୁ ଖସି ପଳାଇଥିଲେ।
ଖବର ପାଇ ଉଭୟଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ଭୋରରୁ ଅମରଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଶିବରାମଙ୍କୁ ବୁର୍ଲାସ୍ଥିତ ଏମକେସିଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏଯାଏ କାହାକୁ ଗିରଫ କରି ନାହିଁ।