ନୂଆଦିଲ୍ଲୀ: ଏସ୍ଆଇଆର୍କୁ ନେଇ ନିର୍ବାଚନ କମିସନ୍ ବିରୋଧରେ ବିରୋଧୀ ଦଳଗୁଡ଼ିକର ମେଳି ଶାଣିତ ହେଉଛି। ଆସନ୍ତା ୩୦ ତାରିଖରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ‘ଇଣ୍ଡିଆ’ ମେଣ୍ଟର ବୈଠକ ବସିବ। ଏଥିରେ ଏସ୍ଆଇଆର୍ ଏବଂ ମୁଖ୍ୟ ନିର୍ବାଚନ କମିସନର୍ ଜ୍ଞାନେଶ କୁମାରଙ୍କୁ ନେଇ ମିଳିତ ରଣନୀତି ଉପରେ ଆଲୋଚନା ହେବ।
ବିରୋଧୀ ଦଳଗୁଡ଼ିକ ଜ୍ଞାନେଶ କୁମାରଙ୍କ ହଟାଇବା ଦାବି ସହ ସଂସଦରେ ନୂଆ ରିମୁଭାଲ୍ ନୋଟିସ୍ ଆଣିବା ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି। ଆଇନଗତ ଯାଞ୍ଚ ପରେ ଲୋକସଭା ଓ ରାଜ୍ୟସଭାରେ ଏହି ନୋଟିସ୍ ଦାଖଲ ହୋଇପାରେ। ଏହା ବିରୋଧୀଙ୍କ ତୃତୀୟ ଏଭଳି ପ୍ରୟାସ ହେବ ବୋଲି ଜଣାପଡ଼ିଛି।
ବୈଠକରେ ଏସ୍ଆଇଆର୍ ଉପରେ ତୁରନ୍ତ ରୋକ, ନିର୍ବାଚନ କମିସନ୍ର ନିଷ୍ପତ୍ତି ନେଇ ସ୍ୱାଧୀନ ତଦନ୍ତ ଏବଂ ଦେଶବ୍ୟାପୀ ପ୍ରତିବାଦ ନେଇ ରଣନୀତି ଉପରେ ଚର୍ଚ୍ଚା ହୋଇପାରେ। କଂଗ୍ରେସ, ଟିଏମ୍ସି, ସିପିଆଇ(ଏମ୍), ସିପିଆଇ ଓ ସିପିଆଇ(ଏମ୍ଏଲ୍)-ଲିବରେସନ୍ ସମେତ ବିଭିନ୍ନ ବିରୋଧୀ ଦଳ ଏହି ପ୍ରସଙ୍ଗରେ ସମନ୍ୱୟ ବଢ଼ାଇଛନ୍ତି। ଟିଏମ୍ସି ମୁଖ୍ୟ ମମତା ବାନାର୍ଜୀ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ନେତୃତ୍ୱ ସହ ଆଲୋଚନା କରିଛନ୍ତି। ମମତା ଓ ଅଭିଷେକ ବାନାର୍ଜୀ ବୈଠକରେ ଯୋଗଦେବାର ସମ୍ଭାବନା ରହିଛି। ସେହିପରି ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ମେଣ୍ଟର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ସାମିଲ ହୋଇପାରନ୍ତି।
ଅନ୍ୟପକ୍ଷରେ, ସିପିଆଇ(ଏମ୍ଏଲ୍)-ଲିବରେସନ୍ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟ ବୈଠକକୁ କେବଳ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ସୀମିତ ନରଖି ସମସ୍ତ ବିରୋଧୀ ଦଳ, ସାମାଜିକ ସଂଗଠନ ଓ ନାଗରିକ ସମାଜକୁ ସାମିଲ କରିବାକୁ ଆହ୍ୱାନ ଦେଇଛନ୍ତି। ପାଞ୍ଚ ବାମପନ୍ଥୀ ଦଳ ସେପ୍ଟେମ୍ବର ୨୬ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।
ଏପଟେ ସେପ୍ଟେମ୍ବର ୨୯ରେ କଂଗ୍ରେସ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିବ। ଏଥିରେ ଏସ୍ଆଇଆର୍ ଓ ନିର୍ବାଚନ କମିସନ୍ ପ୍ରସଙ୍ଗରେ ଦଳର ପରବର୍ତ୍ତୀ ରଣନୀତି ନିର୍ଦ୍ଧାରଣ ହେବ।



