
ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା (SIR)କୁ ନେଇ ଦାବି ଓ ଆପତ୍ତି ଦାଖଲର ସମୟସୀମା ଏକ ମାସ ବଢ଼ାଇଛନ୍ତି ନିର୍ବାଚନ କମିଶନ। ଏବେ ଭୋଟରମାନେ ଅକ୍ଟୋବର ୩୦, ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ଦାବି ଓ ନୋଟିସ୍ଗୁଡ଼ିକର ନିଷ୍ପତ୍ତି ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି।
ପୂର୍ବରୁ ଡ୍ରାଫ୍ଟ ଭୋଟର ତାଲିକାରେ ନାମ ନଥିବା ଭୋଟରଙ୍କ ପାଇଁ ଫର୍ମ-୬ ସହ ଆବଶ୍ୟକ ଦଲିଲ ଦାଖଲର ଶେଷ ତାରିଖ ସେପ୍ଟେମ୍ବର ୩୦ ଥିଲା। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁରୋଧ ପରେ ଏହି ଅବଧି ବଢ଼ାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।
SIR ନୋଟିସ୍ ପାଇଥିବା ଭୋଟରଙ୍କ ଶୁଣାଣି ପାଇଁ ମଧ୍ୟ ନିୟମରେ କୋହଳ କରାଯାଇଛି। ଆବଶ୍ୟକ ହେଲେ ଭୋଟର କିମ୍ବା ତାଙ୍କ ପ୍ରତିନିଧି ଅନଲାଇନ୍ ମାଧ୍ୟମରେ ଶୁଣାଣିରେ ଯୋଗ ଦେଇପାରିବେ। ‘ଅନମ୍ୟାପ୍ଡ୍’ କିମ୍ବା ତଥ୍ୟରେ ଅସଙ୍ଗତି ଥିବା ମାମଲାରେ ବୁଥ୍ସ୍ତରୀୟ ଅଧିକାରୀ (BLO) ଘରକୁ ଯାଇ ଦଲିଲ ସଂଗ୍ରହ କରି ଇସିଆଇନେଟ୍ରେ ଅପଲୋଡ୍ କରିବେ।
ଏଥିସହ ରାତ୍ରି ଆଶ୍ରୟସ୍ଥଳ, ଶ୍ରମିକ, ଗରିବ ଓ ଗୃହହୀନଙ୍କ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ହେଲ୍ପଡେସ୍କ ଓ ସ୍ୱତନ୍ତ୍ର ଶିବିର ବ୍ୟବସ୍ଥା କରିବେ। ମହାରାଷ୍ଟ୍ରରେ ମଧ୍ୟ ଦାବି-ଆପତ୍ତି ଦାଖଲ ଅବଧି ଅକ୍ଟୋବର ୧୨ ଏବଂ ନିଷ୍ପତ୍ତି ଅବଧି ନଭେମ୍ବର ୧୦ ପର୍ଯ୍ୟନ୍ତ ବଢ଼ାଯାଇଛି।


