Breaking PLUSଓଡ଼ିଶାମୁଖ୍ୟ ଖବର

ସିବିଆଇ ଜାଲରେ ପାରାଦୀପ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ଘର ଭିତରୁ ପୁଳାପୁଳା ଟଙ୍କା ଜବତ

ସିବିଆଇ ଜାଲରେ ପାରାଦୀପ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ ଡକ୍ଟର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ଗତକାଲି ରାଜେନ୍ଦ୍ର ଏମିନେନ୍ସ ସିପିଂ ଏଜେଣ୍ଟ ଠାରୁ ପଚାଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିଲେ । ଏହାପରେ ତାଙ୍କର ବାସଭବନରେ ଚଢାଉ ପରେ କୋଟିଏ ଟଙ୍କା ସହ ନାମୀଦାମୀ ବିଦେଶ ମଦ ଜବତ କରାଯାଇଛି ।
ସୂଚନାଯୋଗ୍ୟ, ପାରାଦୀପ ଭୁଇଁଆ ଛକରେ ଥିବା କାର୍ଯ୍ୟାଳୟରେ ଟଙ୍କା ନେଉଥିବା ବେଳେ ଗତକାଲି ଅପରାହ୍ନରେ ମାଡି ବସିଥିଲା ସିବିଆଇ । ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜର କ୍ରିଉ ମେମ୍ବରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁଥିବା ଓ ଏହି ଯାଞ୍ଚ ରିପୋର୍ଟ ପାଇଁ ରାଜେନ୍ଦ୍ର ନାରାୟଣ ଅନେକ ସମୟରେ ବିଭିନ୍ନ ସିପିଂ ଏଜେଣ୍ଟଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଗତକାଲି ପୂର୍ବ ଯୋଜନା ମୁତାବକ ଲାଞ୍ଚ ନେଉଥିବା ବେଳେ ରାଜେନ୍ଦ୍ରଙ୍କୁ ମାଡି ବସିଥିଲା ସିବିଆଇ ଟିମ୍ । ଏହାପରେ ରାଜେନ୍ଦ୍ରଙ୍କର ବନ୍ଦର ସରକାରୀ ହାଉସିଂ ବୋର୍ଡ ଭଡା ଘର, କଟକରେ ଥିବା ବାସଭବନରେ ସିବିଆଇ ପକ୍ଷରୁ ରେଡ୍ କରାଯାଇଥିଲା । ରେଡ୍ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ବିଦେଶୀ ଡଲାର, ବିଦେଶୀ ମଦ, ବିଦେଶୀ ସିଗାରେଟ୍ ସହ ବିଭିନ୍ନ ବିଦେଶୀ ବ୍ରାଣ୍ଡର ପରଫ୍ୟୁମ ମଧ୍ୟ ଜବତ କରାଯାଇଛି । ଏପରିକି ଘର ଭିତରୁ କୋଟିଏ ଟଙ୍କା ଜବତ ଅଧିକାରୀମାନଙ୍କୁ ଚକିତ କରିଛି । ଟଙ୍କା ପରିମାଣ ଆହୁରି ବଢିପାରେ ବୋଲି ଆକଳନ କରାଯାଉଛି ।

Show More

Related Articles

Back to top button