ବିବାହର 3ଦିନ ପରେ ପତ୍ନୀଙ୍କୁ ମାରିଦେଲେ ଦୁର୍ବୁତ୍ତ

ଦୁଇ ବର୍ଷର ପ୍ରେମ ସମ୍ପର୍କକୁ ବିବାହରେ ପରିଣତ କରିବାକୁ ପଣ କରିଥିଲେ। ହେଲେ ଏଥିରେ କଣ୍ଟା ସାଜିଲେ ପରିବାର । ତେଣୁ ଘରୁ ପଳାଇ ଯାଇ ପ୍ରେମ ପକ୍ଷୀ ବିବାହ କଲେ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ପରସ୍ପରର ସୁଖଦୁଃଖର ସାଥି ପାଲଟିଗଲେ। ମାତ୍ର ୩ ଦିନ ପୂର୍ବରୁ ଗଢ଼ିଥିବା ନିଜ ସ୍ୱପ୍ନର ସଂସାରରେ ଗତକାଲି ରାତିରେ ସବୁ ଛାରଖାର ହୋଇଗଲା। ଝଡ଼ ପରି ଘରେ କିଛି ଲୋକ ପଶି ଏହି ପ୍ରେମ ପକ୍ଷୀଙ୍କୁ ନିର୍ମମ ଭାବେ ହତ୍ୟା କରି ଝୁଲାଇଦେଲେ। ଫଳରେ ଏହି ପ୍ରେମ ପକ୍ଷୀଙ୍କ ସ୍ୱପ୍ନର ସଂସାର ଆରମ୍ଭ ହେଉ ହେଉ ଉଜୁଡ଼ିଗଲା। ଏପରି ଏକ ସାଂଘାତିକ ଘଟଣା ଘଟିଛି ତାମିଲନାଡ଼ୁରେ । ମୃତକ ପତୀ ପତ୍ନୀ ହେଲେ ୨୪ ବର୍ଷୀୟ ମରି ସେଲଭମ ଓ ୨୦ ବର୍ଷୀୟା କାର୍ତ୍ତିକା । ଦୁଇ ବର୍ଷ ପୂର୍ବେ ମରି ସେଲଭମ ଓ କାର୍ତ୍ତିକାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ପରସ୍ପରକୁ ଖୁବ୍ ଭଲ ପାଉଥିବା ବେଳେ ପରିବାର ଲୋକେ ଏହାକୁ ସହଜରେ ଗ୍ରହଣ କରି ପାରୁ ନଥିଲେ। ଶେଷରେ ଗତ ୩୧ ତାରିଖ ରାତିରେ ଏହି ପ୍ରେମୀ ଯୁଗଳ ଘର ଛାଡ଼ି ଚାଲିଯାଇ ବିବାହ କରିଥିଲେ। ଏହାପରେ ସେମାନେ ଅନ୍ୟତ୍ର ଘର ଭଡ଼ା ନେଇ ରହୁଥିଲେ। ଗତକାଲି ସନ୍ଧ୍ୟା ସମୟରେ ଏହି ନବ ଦମ୍ପତିଙ୍କ ଘରେ ହଠାତ୍ ୬ରୁ ଊର୍ଦ୍ଧ୍ୱ ଲୋକ ପଶିଥିଲେ। ସେମାନେ ଉଭୟ ମରି ସେଲଭମ ଓ କାର୍ତ୍ତିକାଙ୍କୁ ହତ୍ୟା କରି ଝୁଲାଇ ଦେଇ ଫେରାର ହୋଇ ଯାଇଥିଲେ।ଖବର ପାଇ ପୁଲିସ୍ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ କିଏ କିଏ ସମ୍ପୃକ୍ତ ଓ ତାଙ୍କ ଉଦ୍ଦେଶ୍ୟ କ’ଣ ତାହା ସ୍ପଷ୍ଟ ହୋଇନି।