ପୁରୀ ସଦାଶିବ ସଂସ୍କୃତ ବିଶ୍ଵବିଦ୍ୟାଳୟର ହେବ ନବକଳେବର
ଶହେ କୋଟିର ପ୍ରକଳ୍ପ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ନବକଳେବର ହେବ। ଏଥିପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ଶନିବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ଅଧୀନରେ ପୁରୀ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ୮ ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ ନିର୍ମାଣ ହେବ। ଏଥିସହିତ ମନ୍ତ୍ରୀ ଶ୍ରୀ ପ୍ରଧାନ ୫ ମହଲା ବିଶିଷ୍ଟ ମହିଳା ଓ ପୁରୁଷ ଛାତ୍ରାବାସର ଶିଳାନ୍ୟାସ କରିଛନ୍ତି । ପୁରୀ ତାଳବଣିଆ ଠାରେ ୧୦ ଏକର ପରିମିତ ଜମିରେ ବିଶ୍ୱବିଦ୍ୟାଳୟର ସମସ୍ତ କୋଠା ନିର୍ମାଣ ହେବ । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଲକ୍ଷ୍ମୀ ପୁରାଣ ସଂପର୍କରେ ଆୟୋଜିତ ତିନି ଦିନିଆ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ସେ ଯୋଗ ଦେଇଥିଲେ।
ଶ୍ରୀ ପ୍ରଧାନ କହିଥିଲେ ଭାରତ ସଂସ୍କୃତ, ତାମିଲ ଭଳି ପ୍ରାଚୀନ ଭାଷାର ଏବଂ ଅନେକ ସମୃଦ୍ଧ ଭାଷାର ଦେଶ । ସାଂପ୍ରତିକ ସମୟରେ ଚିରସ୍ଥାୟୀ ଭାରତୀୟ ଜ୍ଞାନ ପରମ୍ପରା ଏବଂ ବୈଦିକ ସାହିତ୍ୟର ପ୍ରାସଙ୍ଗିକତା ଆହୁରି ଅଧିକ। ଲକ୍ଷ୍ମୀ ପୁରାଣ ଓ ବେଦର ଜ୍ଞାନ, ମୂଲ୍ୟବୋଧ ଓ ବାର୍ତ୍ତାକୁ ଗ୍ରହଣ କରି ଆମେ ସାମାଜିକ ନ୍ୟାୟ, ମହିଳା ସଶକ୍ତୀକରଣ ଓ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଦିଗରେ ଅଗ୍ରସର ହୋଇପାରିବା । ମୋର ବିଶ୍ୱାସ ଯେ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଂସ୍କୃତ ସମେତ ଭାରତୀୟ ଭାଷା, ସାହିତ୍ୟ ଏବଂ ଐତିହ୍ୟ ସହିତ ନୂତନ ପିଢ଼ିକୁ ଯୋଡ଼ିବା ପାଇଁ କାର୍ଯ୍ୟ କରିବ।