ଇତିହାସ ଜବାହାରଲାଲ ନେହେରୁ ଓ କଂଗ୍ରେସ ପାର୍ଟିକୁ କେବେ କ୍ଷମା କରିବନି-ଅନୁରାଗ ଠାକୁର
ନୂଆଦିଲ୍ଲୀ, 13 ଡିସେମ୍ବର – କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନ ଉପରେ ପାଲଟା ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ରାଜନୈତିକ ଲାଭ ପାଇଁ କଂଗ୍ରେସ ଦେଶକୁ ଯେଉଁ କ୍ଷତ ଦେଇଛି, ଇତିହାସ ତାର ସାକ୍ଷୀ ଅଟେ । ଇତିହାସ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ କଂଗ୍ରେସ ପାର୍ଟିକୁ କେବେ ହେଲେ କ୍ଷମା କରିବ ନାହିଁ ।
ଅନୁରାଗ ଠାକୁର ବୁଧବାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ନେହେରୁ ଯେଉଁ ଭୁଲ କରିଛନ୍ତି, ତାର ଫଳ ଆଜି ବି ଲୋକଙ୍କୁ ଭୋଗିବାକୁ ପଡୁଛି । ସେ କହିଛନ୍ତି ଯେ, ସର୍ଦ୍ଦାର ପଟେଲ 553ରୁ ଅଧିକ ଅଞ୍ଚଳକୁ ଏକାଠି କରିଥିଲେ । ନେହେରୁ ଗୋଟିଏ ଜମ୍ମୁ କଶ୍ମୀରର ଦାୟିତ୍ୱ ନେଇଥିଲେ, ଏବଂ ତାକୁ ଠିକ୍ ଭାବେ ତୁଲାଇପାରିନଥିଲେ ।
ପାକ୍ ଅଧିକୃତ କଶ୍ମୀର ପାଇଁ ଦାୟୀ କିଏ? 1962ରେ ଚୀନ ସହିତ ଯୁଦ୍ଧରେ 3ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା, ସେଥିପାଇଁ କିଏ ଦାୟୀ ? କଂଗ୍ରେସ ଏହି ସବୁ ଭୁଲ ଉପରେ ପରଦା ପକାଇବାକୁ ଉଦ୍ୟମ କରୁଥିବା କହି ବର୍ଷିଛନ୍ତି ଅନୁରାଗ ଠାକୁର ।