ଓଡ଼ିଶାମୁଖ୍ୟ ଖବରରାଜନୀତି

ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଜେପିର ହୁଇପ୍‌

ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଚଞ୍ଚଳତା ବଢ଼ିଛି। କ୍ରସ୍‌ ଭୋଟିଂ ଆଶଙ୍କାକୁ ଦୃଷ୍ଟିରେ ରଖି ବିଜେପି ଦଳୀୟ ବିଧାୟକମାନଙ୍କ ପାଇଁ ହୁଇପ୍‌ ଜାରି କରିଛି। ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ଏହି ହୁଇପ୍‌ ଜାରି କରି ଆସନ୍ତା ୧୬ ତାରିଖରେ ବିଧାନସଭାରେ ସମସ୍ତ ବିଜେପି ବିଧାୟକମାନଙ୍କୁ ଅବଶ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ଦିନ ବାକି ଥିବା ବେଳେ ରାଜ୍ୟର ରାଜନୈତିକ ପରିସ୍ଥିତି ଦିନକୁ ଦିନ ରୋଚକ ହେଉଛି। କ୍ରସ୍‌ ଭୋଟିଂ ଆଶଙ୍କାରେ ପ୍ରାୟ ସମସ୍ତ ଦଳ ନିଜ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷିତରେ ରାଜ୍ୟରେ ‘ରିସର୍ଟ ପଲିଟିକ୍ସ’ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି।
କଂଗ୍ରେସ ଦଳ ପକ୍ଷରୁ ମଧ୍ୟ ହୁଇପ୍‌ ଜାରି କରାଯାଇଛି। ତଥାପି ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ୮ ଜଣ ବିଧାୟକଙ୍କୁ ବେଙ୍ଗାଲୁରୁର ଏକ ତାରକା ହୋଟେଲକୁ ନେଇଯାଇଛନ୍ତି। ଅନ୍ୟ ବିଧାୟକମାନଙ୍କ ଉପରେ ମଧ୍ୟ ଦଳ ପକ୍ଷରୁ ନଜର ରଖାଯାଉଛି।
ସେପଟେ ବିଜେଡି ଶିବିରରେ ମଧ୍ୟ କ୍ରସ୍‌ ଭୋଟିଂ ଆଶଙ୍କାକୁ ନେଇ ସତର୍କତା ନିଆଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଭୁବନେଶ୍ୱର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଥିବା ସହ ନବୀନ ନିବାସରେ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ କହିଛନ୍ତି। ଏହା ସହ ବିଧାୟକ ଦଳ ବୈଠକ ମଧ୍ୟ ଡାକାଯାଇଛି।
ଅନ୍ୟପଟେ ଚତୁର୍ଥ ଆସନ ହାସଲ କରିବା ପାଇଁ ବିଜେପି ମଧ୍ୟ ନିଜ ରଣନୀତିକୁ ଜୋରଦାର କରିଛି। ଦଳ ପକ୍ଷରୁ ବିଧାୟକମାନଙ୍କ ବୈଠକ ଡାକାଯାଇଥିବା ବେଳେ ପାରାଦୀପର ଏକ ତାରକା ହୋଟେଲରେ ସମସ୍ତ ବିଧାୟକଙ୍କୁ ଏକାଠି ରଖିବା ପାଇଁ ପ୍ରସ୍ତୁତି ଚାଲିଛି। ରାଜ୍ୟସଭା ନିର୍ବାଚନ ନିକଟ ଆସୁଥିବା ସହ ରାଜ୍ୟ ରାଜନୀତିର ଉତ୍ସାହ ଓ ଉତ୍ସୁକତା ଆହୁରି ବଢ଼ିଛି।

Show More

Related Articles

Back to top button