
ସୋମବାର ସକାଳେ ଉତ୍ତର-ପୂର୍ବ ଭାରତର ତିନୋଟି ରାଜ୍ୟରେ ଭୂମିକମ୍ପ ଝଟକା ଅନୁଭବ କରାଯାଇଛି। ତେବେ ଏହି ଘଟଣାରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।
ରିପୋର୍ଟ ଅନୁସାରେ, ସକାଳ ୫ଟା ୫୧ ମିନିଟ୍ରେ ମଣିପୁରରେ ପ୍ରଥମେ ଭୂମିକମ୍ପ ଝଟକା ଲାଗିଥିଲା। ଏହାର କେନ୍ଦ୍ରସ୍ଥଳୀ ଚନ୍ଦେଲ ନିକଟରେ ଥିଲା ଏବଂ ଏହା ମାଟି ତଳେ ପ୍ରାୟ ୬ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରେକର୍ଡ କରାଯାଇଛି।
ତାପରେ ସକାଳ ୭ଟା ୫ ମିନିଟ୍ରେ ମେଘାଳୟର ବିଭିନ୍ନ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭବ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳୀ ଖାସି ପାହାଡ ଅଞ୍ଚଳର ପ୍ରାୟ ୧୦ କିଲୋମିଟର ଭିତରେ ଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ସେହିପରି ସକାଳ ୮ଟା ୩୨ ମିନିଟ୍ରେ ଆସାମରେ ମଧ୍ୟ ଭୂମିକମ୍ପ ଝଟକା ଲାଗିଥିଲା। ଏହାର ତୀବ୍ରତା ୨.୯ ରେକର୍ଡ କରାଯାଇଥିଲା ଏବଂ କେନ୍ଦ୍ରସ୍ଥଳୀ ଉବଲଗୁରୀ ନିକଟରେ ପ୍ରାୟ ୧୦ କିଲୋମିଟର ଭିତରେ ଥିଲା।
ଏହି ସମସ୍ତ ଭୂମିକମ୍ପ ଝଟକା ସାମାନ୍ୟ ଥିବାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ତଥାପି ଝଟକା ଲାଗିବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିବା ଦେଖାଯାଇଛି।



