Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

SCB ଅଗ୍ନିକାଣ୍ଡ: ତଦନ୍ତ ନିର୍ଦ୍ଦେଶ; ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ଙ୍କ ସହ ଅନେକଙ୍କ ଶୋକ

କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ରେ ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ପ୍ରଥମ ମହଲାରେ ହଠାତ୍ ନିଆଁ ଲାଗିବାରୁ ହସ୍ପିଟାଲ ପରିସରରେ ଆତଙ୍କ ସୃଷ୍ଟି ହୋଇଥିଲା।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଘଟଣାର ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଫ୍ୟାକ୍ଟ-ଫାଇଣ୍ଡିଂ ଟିମ୍‌ ଗଠନ ହୋଇଛି।
ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ ମଧ୍ୟ ହସ୍ତକ୍ଷେପ କରି ମୁଖ୍ୟ ସଚିବଙ୍କୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ସେହିପରି ରାଜ୍ୟର ବିଭିନ୍ନ ମେଡିକାଲରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଥିବା ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇ ପରିସ୍ଥିତି ବିଷୟରେ ଅବଗତ ହୋଇଥିଲେ। ସେହିସହ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି।
ଏହି ଦୁଃଖଦ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସମସ୍ତେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Show More

Related Articles

Back to top button