
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଗରୁ ତୃଣମୂଳ କଂଗ୍ରେସ (ଟିଏମସି) ତାଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ୨୯୪ଟି ଆସନ ମଧ୍ୟରୁ ୨୯୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, ଦାର୍ଜିଲିଙ୍ଗ ପର୍ବତାଞ୍ଚଳର ୩ଟି ଆସନ ମିତ୍ର ଦଳ ଭାରତୀୟ ଗୋର୍ଖା ପ୍ରଜାତାନ୍ତ୍ରିକ ମୋର୍ଚ୍ଚା (BGPM) ପାଇଁ ଛାଡ଼ି ଦିଆଯାଇଛି।
ଦଳ ନେତ୍ରୀ ମମତା ବାନାର୍ଜୀ ପୁଣିଥରେ ଭବାନୀପୁର ଆସନରୁ ନିର୍ବାଚନ ଲଢ଼ିବେ। ସେଠାରେ ବିଜେପି ପକ୍ଷରୁ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ଏହି ଆସନରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ କଠିନ ଟକ୍କର ଦେଖିବାକୁ ମିଳିବ।
ଏଥର ଟିଏମସି ପ୍ରାର୍ଥୀ ଚୟନରେ ବଡ଼ ପରିବର୍ତ୍ତନ କରିଛି। ମୋଟ ୭୪ଜଣ ବର୍ତ୍ତମାନ ବିଧାୟକଙ୍କୁ ଟିକେଟ୍ ଦିଆଯାଇନି। ଏପରିକି ୧୩୫ଜଣ ବର୍ତ୍ତମାନ ବିଧାୟକଙ୍କୁ ସେହି ଆସନରେ ପୁଣିଥରେ ପ୍ରାର୍ଥୀ କରାଯାଇଥିବା ବେଳେ, ୧୫ଜଣଙ୍କୁ ନୂତନ ଆସନକୁ ସ୍ଥାନାନ୍ତର କରାଯାଇଛି।
ସାମାଜିକ ସମତୁଳନକୁ ମନେ ରଖି ଦଳ ପ୍ରାର୍ଥୀ ଚୟନ କରିଛି। ୨୯୧ଜଣ ପ୍ରାର୍ଥୀମଧ୍ୟରୁ ୫୨ଜଣ ମହିଳା ଅଛନ୍ତି। ସେହିପରି ୯୫ଜଣ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିରୁ ଆସିଥିବା ବେଳେ, ୪୭ଜଣ ଅଲ୍ପସଂଖ୍ୟକ ମହଳକୁ ପ୍ରତିନିଧିତ୍ୱ କରୁଛନ୍ତି।
ଏହି ପ୍ରାର୍ଥୀ ତାଲିକା ମମତା ବାନାର୍ଜୀଙ୍କ କାଳିଘାଟ ନିବାସରେ ଅଭିଷେକ ବାନାର୍ଜୀ ଓ ଜେଷ୍ଠ ନେତା ସୁବ୍ରତ ବକ୍ଷୀଙ୍କ ଉପସ୍ଥିତିରେ ଘୋଷଣା କରାଯାଇଥିଲା।
ଅନ୍ୟପଟେ, ଅନ୍ୟ ରାଜନୈତିକ ଦଳମାନେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ବିଶେଷକରି କଂଗ୍ରେସ ଦଳ ଏଯାବତ୍ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବାରୁ ନିର୍ବାଚନୀ ପରିଦୃଶ୍ୟ ଆହୁରି ରୋଚକ ହୋଇଯାଇଛି।



