ମାତ୍ର ୪୦୦ ଟଙ୍କା ପାଇଁ ଘଟିଗଲା ହୃଦୟବିଦାରକ ଘଟଣା। ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଅନ୍ତର୍ଗତ ଚିତ୍ରଡା ଫାଣ୍ଡି ଅଞ୍ଚଳରେ ପୁଅ ନିଜ ବାପାଙ୍କୁ ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ହଳଦୀପାଳ ପଞ୍ଚାୟତର ଲଦଡିହି ଗ୍ରାମର ୮୦ ବର୍ଷୀୟ ଗୋବିନ୍ଦ ମାର୍ଣ୍ଡିଙ୍କୁ ତାଙ୍କ ପୁଅ ମଧୁ ମାର୍ଣ୍ଡି (୩୬) ପ୍ରାୟ ସମୟରେ ଟଙ୍କା ମାଗୁଥିଲେ। ବୁଧବାର ରାତି ପ୍ରାୟ ୯ଟା ସମୟରେ ଗୋବିନ୍ଦ ଶୋଇଥିବା ବେଳେ ମଧୁ ସଜନା ଛୁଇଁ ବିକ୍ରି କରିଥିବା ୪୦୦ ଟଙ୍କା ମାଗିଥିଲେ। କିନ୍ତୁ ଗୋବିନ୍ଦ ମନା କରିବା ପରେ, ନିଶାଶକ୍ତ ଅବସ୍ଥାରେ ମଧୁ ରାଗରେ ତାଙ୍କୁ ବାଉଁଶ ବାଡ଼ିରେ ପିଟି ହତ୍ୟା କରିଥିବା ଅଭିଯୋଗ ରହିଛି।
ଖବର ପାଇ ଚିତ୍ରଡା ଫାଣ୍ଡି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ ମଧୁଙ୍କୁ ଅଟକ ରଖିଛନ୍ତି। ଘଟଣାର ତଦନ୍ତ ଚାଲିଛି। ଏହି ଅମାନବିକ ଘଟଣା ସମଗ୍ର ଅଞ୍ଚଳକୁ ଅବାକ୍ କରିଦେଇଛି ଓ ସ୍ଥାନୀୟମାନଙ୍କ ମଧ୍ୟରେ ଭୟ ଓ ଆଶ୍ଚର୍ୟର ପରିବେଶ ସୃଷ୍ଟି କରିଛି।



