କେବିସି ବିଜେତା ତହସିଲଦାର ଗିରଫ: ବନ୍ୟା ରିଲିଫ୍ ପାଣ୍ଠି ଅନିୟମିତତା ମାମଲାରେ କାର୍ଯ୍ୟାନୁଷ୍ଠାନ

ଲୋକପ୍ରିୟ ଟେଲିଭିଜନ କ୍ୱିଜ୍ ଶୋ ‘କୌନ୍ ବନେଗା କରୋଡ଼ପତି’ (KBC)ରେ ୫୦ ଲକ୍ଷ ଟଙ୍କା ଜିତି ପରିଚିତ ହୋଇଥିବା ଜଣେ ମହିଳା ତହସିଲଦାର ବନ୍ୟା ରିଲିଫ୍ ପାଣ୍ଠି ଅନିୟମିତତା ଅଭିଯୋଗରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ଅମିତା ସିଂହ ତୋମାରଙ୍କୁ ମଧ୍ୟପ୍ରଦେଶର ଗ୍ୱାଲିଅର ସ୍ଥିତ ବାସଭବନରୁ ପୋଲିସ ଗିରଫ କରି ଶିବପୁରୀ ଜେଲରେ ରଖିଛି।
ସୂଚନା ଅନୁଯାୟୀ, ୨୦୨୧ ମସିହାରେ ବିଜୟପୁର ତହସିଲରେ କାର୍ଯ୍ୟରତ ଥିବା ସମୟରେ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସରକାର ରିଲିଫ୍ ପାଣ୍ଠି ଘୋଷଣା କରିଥିଲେ। ୭୯୪ ଜଣ ହିତାଧିକାରୀଙ୍କ ନାମରେ ସହାୟତା ଦିଆଯିବାକୁ ଥିଲା। କିନ୍ତୁ ତଦନ୍ତରେ ୧୨୭ ଜଣ ନକଲି ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ପ୍ରାୟ ୨ ରୁ ୨.୫ କୋଟି ଟଙ୍କାର ରିଲିଫ୍ ପାଣ୍ଠି ଅନିୟମିତ ଭାବରେ ବ୍ୟୟ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଥିଲା।
ଏହି ମାମଲାରେ ମୋଟ ୧୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତତ୍କାଳୀନ ତହସିଲଦାର ଅମିତାଙ୍କ ଭୂମିକା ମଧ୍ୟ ଚର୍ଚ୍ଚାରେ ଆସିଥିଲା। ଗିରଫ ଆଶଙ୍କାରେ ସେ ପୂର୍ବରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, କିନ୍ତୁ ସେଥିରେ ସଫଳ ହୋଇନଥିଲେ।
ପରବର୍ତ୍ତୀକାଳରେ ପୋଲିସ ଦଳ ଗ୍ୱାଲିଅରରେ ତାଙ୍କ ବାସଭବନରୁ ଗିରଫ କରିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୨୨ ଜଣ ରାଜସ୍ୱ ଅଧିକାରୀ ସହ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ସହିତେ, ତାଙ୍କୁ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ଅମିତା ସିଂହ ତୋମାର ‘କୌନ୍ ବନେଗା କରୋଡ଼ପତି’ (KBC)ରେ ଅଂଶଗ୍ରହଣ କରି ୫୦ ଲକ୍ଷ ଟଙ୍କା ଜିତିଥିବାରୁ ଜାତୀୟ ସ୍ତରରେ ପରିଚିତ ହୋଇଥିଲେ।


