
ରାଜ୍ୟରେ ଏବେ ସାଧାରଣ ଲୋକଙ୍କ ପାଇଁ ଏଲପିଜି ଗ୍ୟାସ୍ ଉପଲବ୍ଧତାକୁ ଆହୁରି ସହଜ କରିବାକୁ ବଡ଼ ପଦକ୍ଷେପ ନିଆଯାଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ଯେ, ଏଣିକି ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୫ କେଜିର ଏଲପିଜି ସିଲିଣ୍ଡର ମିଳିବ।
କେନ୍ଦ୍ର ସରକାରଙ୍କ ଫ୍ରି ଟ୍ରେଡ୍ ଏଲପିଜି ଯୋଜନା ଅନୁସାରେ ଏହି ସୁବିଧା ଆରମ୍ଭ ହେବ। ଦେଶର ତିନିଟି ମୁଖ୍ୟ ଗ୍ୟାସ୍ କମ୍ପାନୀ ଏହି ସିଲିଣ୍ଡର ଯୋଗାଣ କରିବେ। ଗ୍ରାହକମାନେ କେବଳ ନିଜର ପରିଚୟପତ୍ର ଦେଖାଇ ୫ କେଜିର ସିଲିଣ୍ଡର କିଣିପାରିବେ।
ମୂଲ୍ୟ ସମ୍ବନ୍ଧରେ ମନ୍ତ୍ରୀ କହିଛନ୍ତି, ନୂତନ ୫ କେଜି ସିଲିଣ୍ଡର ସହ ମୋଟ ଖର୍ଚ୍ଚ ୧୫୩୭ ଟଙ୍କା ହେବ। ଯେତେବେଳେ କେବଳ ରିଫିଲିଂ ପାଇଁ ୫୯୩ ଟଙ୍କା ଦେବାକୁ ପଡ଼ିବ। କେବଳ କମ୍ପାନୀ ପ୍ରଦତ୍ତ ସିଲିଣ୍ଡରରେ ମାତ୍ର ରିଫିଲିଂ କରାଯିବ, ଅନ୍ୟ କୌଣସି ସିଲିଣ୍ଡର ଗ୍ରହଣ କରାଯିବ ନାହିଁ।
ଏହି ବ୍ୟବସ୍ଥା ଦ୍ୱାରା ଛୋଟ ପରିବାର, ଦିନମଜୁରିଆ ଓ ଯାତ୍ରା ସମୟରେ ଗ୍ୟାସ୍ ଆବଶ୍ୟକତା ଥିବା ଲୋକମାନେ ବହୁତ ଲାଭାନ୍ବିତ ହେବେ ବୋଲି କୁହାଯାଉଛି।
ଅନ୍ୟପକ୍ଷରେ, ଚାଷୀମାନଙ୍କ ପାଇଁ ମଧ୍ୟ ଏକ ଖୁସିର ଖବର ଦେଇଛନ୍ତି ମନ୍ତ୍ରୀ। ସେ କହିଛନ୍ତି ଯେ ଚଳିତ ବର୍ଷ ଧାନ କ୍ରୟରେ ରାଜ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି। ମୋଟ ୭୭ ଲକ୍ଷ ୭୯ ହଜାର ମେଟ୍ରିକ୍ ଟନ ଧାନ କ୍ରୟ କରାଯାଇଛି।
ଏହି ପ୍ରକ୍ରିୟାରେ ପ୍ରାୟ ୧୮ ଲକ୍ଷ ଚାଷୀ ଧାନ ବିକ୍ରି କରିଛନ୍ତି। ଚାଷୀମାନଙ୍କୁ ଏହା ପାଇଁ ମୋଟ ୧୭ ଲକ୍ଷ ୮୯୧ କୋଟି ଟଙ୍କା ଦେୟ ଦିଆଯାଇଛି। ଏହା ସହିତ ଇନପୁଟ ସବସିଡି ଭାବେ ୬,୨୨୩ କୋଟି ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି।
ମୋଟମାଟି ଭାବେ ଚାଷୀମାନଙ୍କୁ ୨୪ ହଜାର ୧୧୪ କୋଟି ଟଙ୍କା ଦିଆଯାଇଥିବା ବେଳେ, ଗତକାଲି ରାତି ୧୨ଟା ପର୍ଯ୍ୟନ୍ତ ଧାନ କ୍ରୟ କାର୍ଯ୍ୟ ଚାଲିଥିଲା। ମନ୍ତ୍ରୀଙ୍କ ଦାବି ଅନୁଯାୟୀ, ଜଣେ ମଧ୍ୟ ଚାଷୀ ବାକି ରହିନାହାନ୍ତି ଏବଂ ସମସ୍ତେ ଏହି ବ୍ୟବସ୍ଥାରେ ସନ୍ତୁଷ୍ଟ ଅଛନ୍ତି।



